ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାର ରିପୋର୍ଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ରଥଯାତ୍ରାରେ ପୁରୀ ଗୁଣ୍ଡିଚା ମନ୍ଦିର ଦଳା ଚକଟା ଘଟଣାର ହେଲା ରିପୋର୍ଟ ଦାଖଲ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଗତ ଜୁନ ୨୯ ତାରିଖରେ ହୋଇଥିଲା ଦଳାଚକଟା । ଏହି ଘଟଣାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା ।

ଘଟଣାର ପ୍ରାଶାସନିକ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ମାସକ ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପୂର୍ବରୁ ତଦନ୍ତ ରିପୋର୍ଟ ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଥିଲେ ଯେ, ପ୍ରାଶାସନିକ ତଦନ୍ତ ରିପୋର୍ଟର ପୁଙ୍ଖାନୁପୁଙ୍ଖ ତର୍ଜମା କରିବେ ସରକାର । ସୁପାରିଶ ଅନୁଯାୟୀ, ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟେ, ସେଥିପାଇଁ ପଦକ୍ଷେପ ନିଆଯିବ । ଗତକାଲି ଥିଲା ତଦନ୍ତର ଶେଷ ତାରିଖ । ଗତ ଜୁନ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳା ଚକଟା । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିଲା । ଦଳାଚକଟାରେ ଆହତ ହୋଇଥିଲେ ଏକାଧିକ ।