୧୭ରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଶ୍ରୀଜିଉଙ୍କୁ କରାଗଲା ପ୍ରଥମ ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଖେଇ ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ସାରା ଭାରତ ବର୍ଷରୁ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁଙ୍କୁ ନିମନ୍ତ୍ରଣ କରାଯିବ।

ତେବେ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯିବା ପରେ ପ୍ରଭୁ ନୃସିଂହ, ମାଆ ବିମଳା, ମଙ୍ଗଳା ଏବଂ ପଞ୍ଚୁପାଣ୍ଡବଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ଥିବାରୁ ଏନେଇ ଏହି କାର୍ଯ୍ୟ ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯାଇଛି।

ଖୁବଶୀଘ୍ର ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ଭାରତର ବିଭିନ୍ନ ସ୍ଥାନକୁ ଯାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁ ମାନଙ୍କୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ। ଆସନ୍ତା ୨୪ ତାରିଖରେ ଏକ ସେବାୟତ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ଯିବେ। ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯିବା ପରେ ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀ ମାନେ ଭାରତର ବିଶିଷ୍ଟ ବ୍ୟକ୍ତି ଏବଂ ଧର୍ମପୀଠକୁ ଯିବେ।

ସେହିପରି ଏହିଉତ୍ସବରେ ଯୋଗଦାନ ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶ ଯାତ୍ରା କରିବେ। ଏହାସହ ୪ ଧାମ, ୧୨ ଜ୍ୟୋତିର୍ଲିଙ୍ଗ ଓ ସାରା ଭାରତ ବର୍ଷ ବିଭିନ୍ନ ଶୈବପୀଠ ଓ ଜଗନ୍ନାଥଙ୍କ ପୀଠ ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତ ମାନେ ଯାତ୍ରା କରିବେ । ଏଥିପାଇଁ ଗୋଟିଏ ଗୋଟିଏ ଟିମ ଗଠନ କରାଯାଇଥିବା ବେଳେ ଟିମରେ ଜଣେ ଅଫିସର ଯାତ୍ରା କରିବେ । ଏହି ଯାତ୍ରା ଆଗାମୀ ୨୬ ତାରିଖରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେବ ।