spot_img

Latest Posts

ଆଜି ଶ୍ରୀମନ୍ଦିରରେ ପାଳିତ ହେବ କୁମାରପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେବ କୁମାରପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁସାରେ ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବ। ଏହା ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ ଚାରି ଆଶ୍ରମକୁ ବିଜେ କରିବେ। ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମଦ୍ବାର ଦେଇ ପୁନର୍ବାର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଅନ୍ୟ ପକ୍ଷରେ ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ। ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା  ନାମରେ ଅଭିହିତ।ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତ କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ। ପରେ  ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ।ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ ଟି ହିଙ୍ଗୁଳ କଉଡ଼ି , ୨୧ ଟି ରୂପା କଉଡି, ପଶା ଶକଟାରେ ଏହି ପାରମ୍ପରିକ ଖେଳମାନ ଖେଳିଥାନ୍ତି ।

ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ହବିଷ କରୁଛନ୍ତି ବ୍ରତଧାରୀ। ସେଥିପାଇଁ ପୁରୀରେ ପ୍ରବଳ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ। ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ନିର୍ମାଣ ହୋଇଛି ସ୍ବତନ୍ତ୍ର ବ୍ଯାରିକେଡ । ୨୨ ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ କରାଯାଇଛି । ହବିଷ୍ୟାଳିମାନେ ହବିଷ ପାଳନ କରି  ରାଧାଦାମୋଦର ପୂଜା କରୁଛନ୍ତି। ଏହା ଶ୍ରୀଜିଉଙ୍କୁ ମଧ୍ୟ ଦର୍ଶନ କରୁଛନ୍ତି। ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପରେ କରାଯାଇଛି ସ୍ବତନ୍ତ୍ର ଶିବିର । ବ୍ରତଧାରୀଙ୍କ  ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ହୋଇଛି ବ୍ଯବସ୍ଥା ।

Latest Posts

Don't Miss