ଭବ୍ୟ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ପୁରୀର ସବୁ ଘରେ ଦୀପଦାନ

ପୁରୀ: ଅତ୍ୟନ୍ତ ଭବ୍ୟ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର ଠାରେ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯିବ । ଏହାସହ ଶ୍ରୀମନ୍ଦିର ଐତିହ୍ୟକୁ ନେଇ ଲେଜ଼ର ଶୋ କରାଯିବାକୁ ଲକ୍ଷ୍ଯ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ହୋଇଛି ସବିଶେଷ ଆଲୋଚନା । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ଛତିଶା ନିଯୋଗ ବୈଠକ ।

ଏଥିରେ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ପୁରୀର ସବୁ ଘରେ ଦୀପଦାନ ପାଇଁ ନିବେଦନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ୮ ତାରିଖରେ ଅନୁଷ୍ଠିତ ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନେଇ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି । ଭୋର 2 ଟାରୁ ଦ୍ବାରଫିଟା ନୀତି କରାଯିବ ।

ଆବଶ୍ୟକ ପଡ଼ିଲେ ବିଶେଷ ଦିନ ମାନଙ୍କରେ ପହୁଡ଼ ନୀତିରେ କାଣ୍ଟଛାଣ୍ଟ କରାଯିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଶୀତତାପ ନିୟନ୍ତ୍ରିତ ଚଲାପଥ କାମ ଶୀଘ୍ର ସାରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଏହା ପାର୍ଶ୍ବରେ ଦୁଇ ହଜାର ଲୋକଙ୍କ ପାଇଁ ମଧ୍ୟ ସେଡ଼ର ବ୍ୟବସ୍ଥା କରାଯିବ । ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।