ରଥ ନିର୍ମାଣର ହେବ ଶୁଭ ଅନୁକୂଳ: ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀମନ୍ଦିର ଓ ପୁରୀ ପ୍ରଶାସନର ପ୍ରସ୍ତୁତି

ପୁରୀ: ବୈଶାଖ ଶୁକ୍ଲ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା । ରଥ ନିର୍ମାଣର ହେବ ଶୁଭ ଅନୁକୂଳ । ନରେନ୍ଦ୍ରରେ ଚାପ ଖେଳିବେ ମହାପ୍ରଭୁ । ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀମନ୍ଦିର ଓ ପୁରୀ ପ୍ରଶାସନର ପ୍ରସ୍ତୁତି । ଚନ୍ଦନ ଯାତ୍ରାରେ ପୁରୀରେ ଜମିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଚାପ ପାଇଁ ପ୍ରସ୍ତୁତ ହେଲେଣି ନନ୍ଦା ଓ ଭଦ୍ରା ଚାପ ଡଙ୍ଗା । ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ପରେ ବିଶ୍ଵକର୍ମା, ଭୋଇ ସେବକ ଏହାକୁ ପ୍ରସ୍ତୁତ କରୁଛନ୍ତି । ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଠାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡା କରିବେ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । ପୁଷ୍କରିଣୀର ଚତୁଃପାର୍ଶ୍ଵରେ ମହାପ୍ରଭୁଙ୍କ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ପଥରରେ ଖୋଦିତ ବିଭିନ୍ନ କଳାକୃତିକୁ ସ୍ଥାନ ଦିଆଯାଇଛି । ସେହିପରି ଚିତ୍ରକର ସେବାୟତମାନେ ମଧ୍ୟ ବିଭିନ୍ନ ଚିତ୍ର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଅକ୍ଷୟ ତୃତୀୟାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ୩ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ବିଶ୍ଵକର୍ମା ରଥକାଠକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରି ଅନୁକୂଳ କରିବେ । ପ୍ରଥମ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀନଅର ସାମ୍ନାରେ ପ୍ରସ୍ତୁତ ରଥଖଳାରେ ଆସି ପହଞ୍ଚି ସାରିଛି କାଠ । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ପହଞ୍ଚିବ । ସେପଟେ ଯାତ୍ରା ପାଇଁ ପ୍ରସ୍ତୁତ ପୁରି ପୋଲିସ । ଭିଡ଼ ନିୟନ୍ତ୍ରଣ ରହିବ ମୁଖ୍ୟ ଫୋକସ୍ ।