ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲେ କେମିତି ହେବ ରତ୍ନର ଗଣତି ମଣତି ?

ପୁରୀ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସକୁ ରାଜ୍ଯ ସରକାର ଯାଞ୍ଚ କରୁଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଏପଟେ କେଉଁଠି ରତ୍ନ ଗଣତି ହେବ, ଏସଓପିରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ହୋଇ ନଥିବାବେଳେ ରତ୍ନ ସୁରକ୍ଷାରୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ସେବାୟତ ।

୧୪ ତାରିଖ ପାଇଁ ରତ୍ନଭଣ୍ଡାର କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିରୁ ମିଳିସାରିଛି ଗ୍ରୀନ ସିଗନାଲ । ଅପେକ୍ଷା କେବଳ ସରକାରଙ୍କ ଘୋଷଣାକୁ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, କେମିତି ହେବ ମହାପ୍ରଭୁଙ୍କ ରତ୍ନ ଗଣତି ? କ’ଣ ରହିବ ଏସଓପି ? ଗଣତି ସମୟରେ କେଉଁଠି ରହିବ ବହୁମୂଲ୍ଯ ରତ୍ନ ? ବରିଷ୍ଠ ଦଇତାପତି ସେବାୟତଙ୍କ କହିଛନ୍ତି, ରତ୍ନ ଶ୍ରୀମନ୍ଦିର ବାହାରକୁ ଆସିବା ଅନୁଚିତ । ଶ୍ରୀମନ୍ଦିର ଭିତରେ ହିଁ କରାଯାଉଛି ରତ୍ନ ଗଣତି । ରତ୍ନଭଣ୍ଡାର ନିକଟରେ ଥିବା ଚାଙ୍ଗଡ଼ା ଘରେ ରତ୍ନ ରଖି ଗଣତି ମଣତି କରାଯାଉ । ଏହାଦ୍ବାରା ରତ୍ନର ରକ୍ଷଣାବେକ୍ଷଣ ସହ ସୁରକ୍ଷା ମଧ୍ଯ ସୁନିଶ୍ଚିତ ହୋଇପାରିବ । ତେବେ ରତ୍ନ ଗଣତି ସମୟରେ କିଏ କିଏ ଉପସ୍ଥିତ ରହିବେ ସେ ନେଇ ମଧ୍ଯ ଉଠିଛି ପ୍ରଶ୍ନ । ବିଭିନ୍ନ ବର୍ଗର ଆଉ କିଛି ସଦସ୍ଯଙ୍କୁ ସାମିଲ କରିବାକୁ ଦାବି ହେଉଛି । ଏସଓପି ସର୍ବସାଧାରଣ ହେବା ପରେ ତାହା ସ୍ପଷ୍ଟ ହେବ ।

ଏପଟେ ରତ୍ନଭଣ୍ଡାର ଖୋଲିବାକୁ ସରକାର ମଧ୍ଯ ଜୋରସୋରରେ ଚଳାଇଛନ୍ତି ପ୍ରସ୍ତୁତି । ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଯାଞ୍ଚ କମିଟିର ସୁପାରିସକୁ ପରିଚାଳନା କମିଟି ମୋହର ମାରିସାରିଛି । ପରିଚାଳନା କମିଟିର ସୁପାରିସକୁ ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିସ ହୋଇଛି ତାକୁ ଅନୁଧ୍ଯାନ କରାଯିବ । ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ ।

ଯଦି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ସେତେବେଳେ ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବେ । ଗର୍ଭଗୃହ ଦର୍ଶନ ବନ୍ଦ ରହିଥିବାରୁ ସେଦିନ ବିଶେଷ ଅସୁବିଧା ହେବ ନାହିଁ । ତେବେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଯେପରି ଭକ୍ତଙ୍କ ଦର୍ଶନରେ ବାଧା ନଉପୁଜେ ସେଥିପ୍ରତି ଧ୍ଯାନ ଦେବାକୁ ମତ ପ୍ରକାଶ ପାଇଛି ।