ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି, ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ସମନ୍ବୟ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ଶୃଙ୍ଖଳିତ ଭାବେ ଶେଷ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରାଯାଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖିଥିବା ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଦଇତାପତି ନିଯୋଗର ନବ ନିର୍ବାଚିତ ସଦସ୍ୟ ଓ ଅଧିକାରୀ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଗତବର୍ଷ ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥରୁ ଖସି ପଡିବା ଘଟଣାରୁ ଦଇତାପତି ମାନେ ଅନେକ ଶିକ୍ଷା ଲାଭ କରିଥିବା ବେଳେ ସେହି ତ୍ରୁଟିର ପୁନରାବୃତ୍ତି ଯେପରି ନ ହୁଏ ସେ ଦିଗରେ ନିଯୋଗ ସମସ୍ତ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ସମନ୍ଵୟ ରକ୍ଷା କରି ପହଣ୍ଡି ନୀତି ଶେଷ କରିବାକୁ ଚଳିତ ବର୍ଷ ଗୁରୁତ୍ବ ଦିଆଯିବ। ଦଇତାପତିଙ୍କ ସେବା ଏକ ଗୋଷ୍ଠୀଗତ ସେବା ।

ଏନେଇ ସବୁ ଦଇତାପତିଙ୍କ ମଧ୍ୟରେ ଉଚିତ୍ ବୁଝାମଣା ରଖି ମହାପ୍ରଭୁଙ୍କ ସେବା କରିବା ନେଇ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟନିର୍ବାହୀ କମିଟିକୁ ଆସିଥିବା ଦଇତାପତି ମାନେ କାର୍ଯ୍ୟ କରିବେ ।  ନିର୍ବାଚିତ ୧୫ ସଦସ୍ୟଙ୍କ ମଧ୍ୟରୁ ରାମକୃଷ୍ଣ ଦାସ ମହାପାତ୍ର ସମ୍ପାଦକ ମନୋନୀତ ହୋଇଥିବା ବେଳେ ଗଣେଶ ଦାସ ମହାପାତ୍ର ସଭାପତି ହୋଇଛନ୍ତି।ତେବେ ଦଇତାପତି ନିଯୋଗର ସମସ୍ୟା,ସୁରୁଖୁରୁରରେ ନୀତି ସଂପାଦନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲଚନା କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।ନିଯୋଗର ଉପ ସଭାପତି ଭାବେ ଗଣପତି ଦାସ ମହାପାତ୍ର,ସହ ସମ୍ପାଦକ ଭାବେ ଜଗବନ୍ଧୁ ଦାସ ମହାପାତ୍ର,କୋଷାଧ୍ୟକ୍ଷ ଭାବେ କାର୍ତ୍ତିକ ଦାସ ମହାପାତ୍ର ଆଗାମୀ ତିନି ବର୍ଷ ପାଇଁ  କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣାପଡିଅଛି।