ଚଳଚଞ୍ଚଳ ପୁରୀ ରଥ ଖଳା, ଚାଲିଛି ତିନି ଠାକୁରଙ୍କ ରଥ ତିଆରି କାମ

1 min read

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ପୁରୀ ଶ୍ରୀନଅର ସମ୍ମୁଖ ରଥ ଖଳା । ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶନିବାର ଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାମ ଆରମ୍ଭ ହୋଇଛି ।

ରଥ ଅମିନ ଓ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବାୟତ କାର୍ଯ୍ଯ ଆରମ୍ଭ କରିଛନ୍ତି । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶକ୍ୟୟ କାଠ ପହଞ୍ଚାଇବା ପରେ କରତୀ ସେବକମାନେ ତୁମ୍ବ ନିର୍ମାଣ ପାଇଁ କାଠ ଚିରଟ କରିଛନ୍ତି । ପ୍ରଥମ ଦିନରେ ତିନି ରଥ ପାଇଁ ୩ଟି ତୁମ୍ବ କଟାଯାଇଛି l ରଥଖଳାରେ ଚତୁର୍ପାଶ୍ୱରେ ଧଳା କପଡା ଗୁଡ଼ାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି l ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବାବେଳେ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ଓ କରତୀ ସେବାୟତ ।

ତିନି ରଥ ପାଇଁ ଭୋଇ ସେବାୟତମାନେ କାଠ ଯୋଗାଇ ଦେବା ପରେ ରଥର ମୁଖ୍ୟ ବିଶ୍ୱକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାଇ ତୁମ୍ବ ଗୁଡିକୁ ସାଇଜ କରିଛନ୍ତି l ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ । ସେପଟେ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି l ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥ କାଠର ଆବଶ୍ୟକ ଥିବାବେଳେ ଗତବର୍ଷ ୫୩ ଖଣ୍ଡ କାଠ ବଳକା ରହିଛି ।