ରବିବାର ଖୋଲିବ ତ ରତ୍ନଭଣ୍ଡାର, ଏସଓପିକୁ ନେଇ ବିରୋଧୀ ପଚାରିଲେ ପ୍ରଶ୍ନ

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବାକୁ ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ଆସନ୍ତା ରବିବାର ରତ୍ନ ଭଣ୍ଡାର ଖୋଲିବାକୁ ହୋଇଛି ନିଷ୍ପତ୍ତି । କିନ୍ତୁ ଏଯାଏଁ ରାଜ୍ଯ ସରକାର ଏସଓପି ଆଣି ପାରି ନାହାନ୍ତି । ଯଦି ରବିବାର ରତ୍ନଭଣ୍ଡାର ଖୋଲାଯାଏ ତେବେ ଆସନ୍ତାକାଲି ସୁଦ୍ଧା ଆଣିବାକୁ ପଡ଼ିବ ଏସଓପି । ସେପଟେ ବିରୋଧୀ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନବାଣ ଛାଡ଼ିଥିବା ବେଳେ ରତ୍ନଭଣ୍ଡାର ଚାବି ଓ ଏସଓପିକୁ ନେଇ ସରକାରଙ୍କୁ ମାଗିଛନ୍ତି ସ୍ପଷ୍ଟୀକରଣ ।

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି । ହେଲେ ୧୪ରେ ଖୋଲିବ ତ ମହାପ୍ରଭୁଙ୍କ ରତ୍ନଭଣ୍ଡାର  ? କାରଣ ରତ୍ନଭଣ୍ଡାର ଖୋଲିବାକୁ ଏସଓପି ଆଣିବେ ବୋଲି କହିଥିଲେ ରାଜ୍ୟ ସରକାର । ହାତରେ ଆଉ ଗୋଟିଏ ଦିନ ଥିବା ବେଳେ ଏପର୍ଯ୍ୟନ୍ତ ସରକାର ଆଣି ପାରିଲେନି ଏସଓପି । ଏମିତି ସ୍ଥିତିରେ ଆସନ୍ତାକାଲି ମଧ୍ୟରେ ଏସଓପି ଆଣିବାକୁ ଅଣ୍ଟା ଭିଡ଼ିଛି ଆଇନ ବିଭାଗ ।

ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବରିଷ୍ଠ ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ରହସ୍ୟ ଘେରରେ ରହିଛି । ସରକାର ଚାବି ସମ୍ପର୍କରେ ସ୍ପଷ୍ଟତା ଆଣିବା ଦରକାର । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯିବ କି ଅସଲି ଚାବିରେ ଖୋଲାଯିବ, ତାହା ସରକାର ସ୍ପଷ୍ଟ କରନ୍ତୁ । ଏସଓପିରେ କ’ଣ ରହିଛି ତାହା ବି ପ୍ରକାଶ କରନ୍ତୁ । ରଘୁବର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ । ବିରୋଧୀ ଆସନରେ ଥିବା ବେଳେ ବିଜେପି ଏହି ସବୁ ଦାବି କରୁଥିଲା । ଏବେ କ୍ଷମତାକୁ ଆସିଥିବାରୁ ଯେଉଁ ଦାବି ସେମାନେ ଉଠାଉଥିଲେ, ତାହା ପୂରଣ କରନ୍ତୁ ବୋଲି  ଅମର କହିଛନ୍ତି ।

ସେପଟେ ଆଡ଼ପ ମଣ୍ଡପ ବିଜେ ସମୟରେ ବଡ଼ ଠାକୁର ବଳଭଦ୍ର ପଡ଼ିଯିବାରୁ ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏହି ଅଭାବନୀୟ ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଏହି ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବି ଅନେକ ପ୍ରଶ୍ନ କରିଛି ଦଳ । ଆଇନମନ୍ତ୍ରୀ କହିଛନ୍ତି, ବଡ଼ ଠାକୁର ତଳେ ପଡ଼ିବା ଘଟଣାରେ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରତ୍ନଭଣ୍ଡାର ଖୋଲିବା ଏବେ ରାଜ୍ଯର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ପୂର୍ବ ସରକାରଙ୍କ କମିଟି ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି ବର୍ତ୍ତମାନର ବିଜେପି ସରକାର । ଏହାକୁ ନେଇ ରାଜନୈତିକ ଗନ୍ଧ ବାରିଛି ବିଜେଡି ।