ସବୁଠି ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟର ଛାପ, ଝଟକୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ବର: କଳିଙ୍ଗ ସ୍ଥାପତ୍ୟ କଳା ଓ ପରମ୍ପରାରେ ମଠ, ମନ୍ଦିରରେ ଖଣ୍ଡୋଲାଇଟ ପଥରର ବ୍ୟବହାର ବହୁ ପ୍ରାଚୀନ । ତେଣୁ ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ ବଜାୟ ରଖିବା ସହ ଭକ୍ତଙ୍କ ଭାବାବେଗକୁ ନଜରରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏହାର ବ୍ୟବହାର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଥର ଯୋଗାଇ ଦିଆଯାଇଥିବା ବେଳେ କୁଶଳୀ କାରିଗରଙ୍କ ଦ୍ବାରା ଏଥିରେ ନିର୍ମିତ କାରୁକାର୍ଯ୍ୟକୁ ଶ୍ରଦ୍ଧାଳୁ, ସେବାୟତ ଓ ପର୍ଯ୍ୟଟକ ବେଶ ପ୍ରଶଂସା କରିଛନ୍ତି ।

ଝଟକୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସବୁଠି ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟର ଛାପ । ଏହାକୁ ଆହୁରି ଉଜ୍ଜୀବିତ କରିଛି ଖଣ୍ଡୋଲାଇଟ୍ ପଥରର କାରିଗରି । ଏହି ସୁନ୍ଦର ପଥର କାରୁକାର୍ଯ୍ୟରେ ପରିସ୍ଫୁଟ ହୋଇଛି ଶିଳ୍ପୀର ସୁନ୍ଦର ଭାସ୍କର୍ଯ୍ୟ କଳା । ଶ୍ରୀଜଗନ୍ନାଥ ସଂସ୍କୃତି ବେଶ ପୂରାତନ ହୋଇଥିବା ବେଳେ ଏଥିରେ ଖଣ୍ଡୋଲାଇଟ ପଥର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଓଡ଼ିଆ ସଂସ୍କୃତିରେ ଏହି ପଥରର ବ୍ୟବହାର ବେଶ ପୁରୁଣା । ସେଥିପାଇଁ ଓଡିଶା ଖଣି ନିଗମ ପକ୍ଷରୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ପଥର ଯୋଗାଇ ଦିଆଯାଇଥିଲା । କୁଶଳୀ କାରିଗରଙ୍କ ହାତର ଯାଦୁ ଏହାକୁ ଦେଇଛି ଆକର୍ଷଣୀୟ ରୂପ ।

ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ମଠ, ମନ୍ଦିର, କ୍ଲକ ରୁମ, ଅଭ୍ୟର୍ଥନା ଗୃହ ଦୂରରୁ ବି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ଯେଉଁଠି ଶୋଭାପାଉଛି ସେମାନଙ୍କ ଐତିହ୍ୟ ଓ କିମ୍ବଦନ୍ତୀର ସମସ୍ତ ଚିତ୍ର । ଏହି ପଥର ବ୍ୟବହାର ଦ୍ବାରା ଶ୍ରୀମନ୍ଦିରର ପ୍ରାଚୀନତାକୁ ବଜାୟ ରଖିବାକୁ ପ୍ରୟାସ କରାଯାଇଥିବା ବେଳେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି । ଯାହାକୁ ସ୍ବାଗତ କରିବା ସହ ବେଶ ପ୍ରଶଂସା କରିଛନ୍ତି ଭକ୍ତ, ସେବାୟତ ଓ ପର୍ଯ୍ୟଟକ ।