ଆନନ୍ଦ ବଜାର ନୁହେଁ ଏବେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ମହାପ୍ରସାଦ…
1 min read
ପୁରୀ : ଆନନ୍ଦ ବଜାର ନୁହେଁ ଏବେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ମହାପ୍ରସାଦ । ଘରେ ବସି ପାଇପାରିବେ ଶ୍ରୀମନ୍ଦିରରୁ ଅନ୍ନ, ଡାଲମା, ଡାଲି, ବେସର, ମହୁର । ଅନଲାଇନରେ ଅଡର ଦେଲେ ଦୁଇ ଜଣଙ୍କ ପାଇଁ ଯୋଗାଇ ଦିଆଯିବ ମହାପ୍ରସାଦ । ସୋସିଆଲ ମିଡିଆରେ ଘାଏଁ ଘାଏଁ ବିଜ୍ଞାପନ । ଯାହାକୁ ନେଇ ପୁରୀ ବାସିନ୍ଦା ଓ ସେବାୟତଙ୍କ ଭିତରେ ତେଜିଲାଣି ଅସନ୍ତୋଷ । ଏପରି ଉଦ୍ୟମ ଭକ୍ତଙ୍କ ଭାବାବେଗ ସହ ଖେଳ ବୋଲି ଅଭିଯୋଗ ଉଠିଲାଣି । ଅନଲାଇନ୍ ସଂସ୍ଥା ଭକ୍ତଙ୍କ ଭାବାବେଗ ସହିତ ବ୍ୟବସାୟ କରି ଠକିବାକୁ ଉଦ୍ୟମ ଆରମ୍ଭ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଜ୍ଞାପନ ଦେଇଥିବା ଅନ୍ଲାଇନ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଲା ଦାବି । ବିଜ୍ଞାପନରେ ଉଲ୍ଲେଖ ରହିଛି ଥରେ ଅର୍ଡର ଦେବାପରେ ଏହାକୁ ବାତିଲ୍ କରାଯାଇପାରିବ ନାହିଁ । ରାତି ୧୦ଟା ୩୦ ସୁଦ୍ଧା ମହାପ୍ରସାଦ ଡେଲିଭରି ଦିଆଯିବ। ଏହି ସେବା କେବଳ ସୋମବାର, ଗୁରୁବାର ଓ ଶନିବାର ଦିନ ମିଳବ। ମନ୍ଦିରର ନୀତିକାନ୍ତିରେ ବିଳମ୍ବ କିମ୍ବା ଯାନବାହନ ଯାତାୟତରେ ସମସ୍ୟା ହେଲେ ପ୍ରାକ ସୂଚନା ଦିଆଯିବ । ପ୍ରଶ୍ନ ଉଠୁଛି ଅନଲାଇନ ଯୋଗେ ଅର୍ଡର କରିଥିବା ଭକ୍ତ ଜଣକ ସଠିକ୍ ଭାବେ ମହାପ୍ରସାଦ ପାଉଛନ୍ତି ନା ଠକେଇର ଶିକାର ହେଉଛନ୍ତି ? ଘଟଣାକୁ ନେଇ ସୁଆର ମହାସୁଆର ନିୟୋଗ ଅସନ୍ତୋଷ ଝାଡ଼ିଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ସାଇବର ଥାନାରେ ଏ ପ୍ରସଙ୍ଗରେ ଏତଲା ଦେବାକୁ ଦାବି କରିଛନ୍ତି ସେବାୟତ । ତେବେ ଏଥିପାଇଁ କଣ ନିରାକରଣ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନଠୁ ଠିକଣା ଉତ୍ତର ମିଳିପାରିନି । କିନ୍ତୁ ଶ୍ରୀମନ୍ଦିର ଗରିମା ଓ ସଂସ୍କୃତି କ୍ଷୁର୍ଣ୍ନ କଲେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ ସହିତ ନୀଳଚକ୍ର ବାନା । ଏବେ ଏଭଳି ବିଜ୍ଞପ୍ତି ପରେ ସମ୍ପୃକ୍ତ ସଂସ୍ଥା ନାଁରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ନିକଟ ଅତୀତରେ ଆମାଜନ ନାମକ ଇ-କମର୍ସ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା । ପୁଣି କିଛି ଦିନ ନ ପୂରୁଣୁ ଆଉ ଏକ ସଂସ୍ଥା ଅନଲାଇନ୍ ଦର୍ଶନ ବ୍ୟବସ୍ଥା କରିବା ନେଇ ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ମହାପ୍ରଭୁଙ୍କ ମହାପ୍ରସାଦ ଅନଲାଇନରେ ବିକ୍ରି କରିବା ଘଟଣା ସାମ୍ନାକୁ ଆସିବା ପରେ ତେଜିଛି ଅସନ୍ତୋଷ ।