ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼, ପୁରୀରେ ସବୁ ହୋଟେଲରେ ବୁକିଂ ଶେଷ

ପୁରୀ : ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବେ ପର୍ଯ୍ଯଟକ । ବର୍ଷର ପ୍ରଥମ ଦିନରେ ନେବେ ମହାପ୍ରଭୁଙ୍କ ଆଶିଷ । ଜିରୋନାଇଟ ସେଲିବ୍ରେସନ ସହ ସମୁଦ୍ରକୂଳରେ ୨୦୨୫ର ପ୍ରଥମ ସୂର୍ଯ୍ୟଙ୍କୁ ସ୍ବାଗତ କରିବେ । ଏଥିପାଇଁ ପୁରୀର ସବୁ ହୋଟେଲରେ ସରିଛି ବୁକିଂ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଖାଦ୍ଯ ପାନୀୟର ବ୍ଯବସ୍ଥା । ବଲିଉଡ ଓ ଓଲିଉଡ କଳାକାରଙ୍କ ନାଚଗୀତରେ ଝୁମିବେ ଲୋକେ । ଗାଇଡଲାଇନ୍ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ହୋଟେଲ ମାଲିକ ।

ଭିଡ଼କୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ ସହ ପାଟ୍ରୋଲିଂ ଟିମ ସଜାଗ ଅଛନ୍ତି । ପର୍ଯ୍ୟଟକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ପୁରୀ ପୋଲିସ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ସମୁଦ୍ରକୂଳରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବେ ଲୋକେ । କୌଣସି ଅଘଟଣକୁ ଏଡାଇବାକୁ ବେଳାଭୂମିରେ ବ୍ୟାପକ ଲାଇଫଗାର୍ଡ ମୃତୟନ କରାଯାଇଅଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି । ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଆଶିଷ ନେବେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ସିଂହଦ୍ବାର ଦେଇ ପ୍ରବେଶ ସହ ଅନ୍ଯଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ୩୧ରୁ ସହରରେ ଟ୍ରାଫିକ କଟକଣା ଜାରି ହେବ । ପୁରୀକୁ ଆସୁଥିବା ପର୍ଯ୍ୟଟକ ସୁଖଦ ଅନୁଭୁତି ନେଇ ଫେରିବେ ବୋଲି ଆଶା ରଖିଛି ପ୍ରଶାସନ ।