ପୁରୀରେ ବୀଭତ୍ସ କାଣ୍ଡ, ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳି କରି ହତ୍ୟା

ପୁରୀ: ପୁରୀରେ ପଡ଼ିଲା ରକ୍ତର ଛିଟା । ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ପୁରୀ ଟାଉନ ଥାନା ଅଞ୍ଚଳର ବାରବାଟୀ ଜାଗା ନିକଟରେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଗୁଳି ମାଡରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ତେବେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଆଜି ଟାଉନ ଥାନା ଅଞ୍ଚଳରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରାଯାଇଥିଲା । ତାଙ୍କ ଘର ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରାଯାଇଛି । ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡ ପରେ ସେ ଗୁରୁତର ହୋଇପଡ଼ିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଏହି ଗୁଳିକାଣ୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ପୁରୀ ଜିଲ୍ଲାପାଳ । ତେବେ କେଉଁ କାରଣରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ତଦନ୍ତ ପରେ ଖୁଲାସା ହେବ ।