‘ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ, ସଂପୂର୍ଣ୍ଣ ଅଛି ସୁରକ୍ଷିତ ଶ୍ରୀମନ୍ଦିର’

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ଦେଲେ ପୁରୀ ଗଜପତି । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ । ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର । ସମାଧାନର ରାସ୍ତା ବାହାର କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।