ଆଇକନିକସିଟି ହେବ ପୁରୀ ଓ କୋଣାର୍କ
ଭୁବନେଶ୍ୱର: ଆଇକନିକ୍ ସିଟି ହେବ ଶ୍ରୀକ୍ଷେତ୍ର ପୁରୀ ଓ ଅର୍କକ୍ଷେତ୍ର କୋଣାର୍କ । କେନ୍ଦ୍ର ସରକାର ଏନେଇ ଖୁବ୍ଶୀଘ୍ର ଘୋଷଣା କରିବେ । ଏହି ସୂଚନା ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବାବେଳେ କେନ୍ଦ୍ର ସରକାର ଏବେ ନୂଆ ସ୍ୱପ୍ନ ଦେଖାଇଛନ୍ତି ।
ବିଶ୍ୱରେ ପୁରୀ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ୱତନ୍ତ୍ର ପରିଚୟ ରହିଛି । ଜଗନ୍ନାଥ ସଂସ୍କୃତି ଏବଂ ଉତ୍କଳୀୟ ଐତିହ୍ୟ ସର୍ବଦା ଗବେଷକ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେବାକୁ ଯାଉଛି ଓଡ଼ିଶା । ଖୁବ୍ଶୀଘ୍ର ପୁରୀ ଓ କୋଣାର୍କକୁ କେନ୍ଦ୍ର ସରକାର ଆଇକନିକ ସାଇଟ ଘୋଷଣା କରିବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଓ ଏହାର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ଵ ବିଭାଗ ସହ ଆଲୋଚନା କରିଛନ୍ତି ।
ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ବିକାଶ ଯୋଜନା । ପୁରୀରୁ ଏହା ଆରମ୍ଭ ହୋଇଛି । ପୁରୀ ସହ କୋଣାର୍କ ଓ ଲିଙ୍ଗରାଜ ଭଳି ଅନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଯୋଜନା କରାଯାଇଛି । ତେବେ ରାଜ୍ୟରେ ରହିଛି ଆହୁରି ଅନେକ ଧାର୍ମିକ,ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ର । ସବୁର ବିକାଶ ହେଲେ ରାଜ୍ୟର ରାଜସ୍ୱ ପାଣ୍ଠି ବୃଦ୍ଧି ସହ ଓ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ନୂଆ ପରିଚୟ ପାଇବ ବୋଲି ମତ ପ୍ରକାଶ ପାଇଛି ।
ଓଡ଼ିଶାକୁ ଅତି ନିକଟରୁ ବୁଝିବା ପାଇଁ ଚନ୍ଦ୍ରାଭାଗା ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ ଏକ ମାଧ୍ୟମ ପାଲଟିଛି । ଏଠାରେ ନ୍ୟାସନଲ ଟୁରିଜିମ କନଫେରେନ୍ସ ଆୟୋଜନ ଦ୍ଵାରା ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଏଥିରେ ଯ଼ୋଗଦେଇଥିଲେ ।