ଶ୍ରୀକ୍ଷେତ୍ରରେ ଜମିଲାଣି ହବିଷ୍ୟାଳୀଙ୍କ ଭିଡ଼

ପୁରୀ:  ଶନିବାର କୁମାର ପୂର୍ଣ୍ଣିମା । ଚନ୍ଦ୍ରଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ସେପଟେ ରବିବାର ଠାରୁ ଧର୍ମ ମାସ କାର୍ତ୍ତିକର ଆରମ୍ଭ ହେତୁ ବ୍ରତଧାରୀ ମାନେ ସଙ୍କଳ୍ପ ନେବା ପରେ ବ୍ରତ ଧାରଣ କରିବେ । ଏନେଇ ପୁରୀର ବଭିନ୍ନ ଶିବିରରେ ହବିଷ୍ୟାଳୀ ଭିଡ଼ ଜମିବା ଆରମ୍ଭ ହେଲାଣି । ଯୋଜନାରେ ତିନି ହଜାରରୁ ଅଧିକ ହବିଷ୍ୟାଳୀ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଶ୍ରୀକ୍ଷେତ୍ରରେ କୁମାର ପୂର୍ଣ୍ଣମା । ଚନ୍ଦ୍ର ଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିକାନ୍ତି । ଏହି ଅବସରରେ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଜ ଘରେ ବିଜେ କରାଯାଇଛି । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବା ସହ ପଙ୍ନ୍ତିଭୋଗ ଓ ବନ୍ଦାପନା ନୀତି ସାରି ପାକତ୍ୟାଗ ପୂର୍ବରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି । ପରେ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ଦ୍ୟୁତ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି । ରାହୁଗ୍ରସ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ହେତୁ ଗ୍ରହଣ ଲାଗିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବନୀତି ଅନୁଷ୍ଠିତ ହେବ ।

ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ଧର୍ମ ମାସ ମହାକାର୍ତ୍ତିକ । ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ ଜମିବା ସହ ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ହବିଷ୍ୟାଳୀମାନେ ପୁରୀ ଆସିବା ଆରମ୍ଭ ହୋଇଥିବେଳେ ସେମାନଙ୍କ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ବିଶେଷ ଧ୍ୟାନ ଦିଆଯାଇଛି । ରବିବାର ଦିନ ଭିଡିଓ କନଫରେନ୍ସରେ ହବିଷ୍ୟାଳି ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏପରି ସୁନ୍ଦର ଯୋଜନା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହବିଷ୍ୟାଳୀ ।