spot_img

Latest Posts

ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତବର୍ଷ ୪ ଦିନ ପାଳନ ହେବ ପଞ୍ଚକ ବ୍ରତ । ଆଜି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ସରୁଥିବାରୁ ଶେଷ ଦିନରେ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବା ହେତୁ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ବିଶ୍ୱାସ ରହିଛି ପଞ୍ଚୁକ ବ୍ରତ ପାଳନ କଲେ କାର୍ତ୍ତିକ ବ୍ରତ ପାଳନ ସହ ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ l ତେବେ ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ ଏକ ମାସ ଧରି ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିଲେ ମହାପ୍ରଭୁ । ତେଣୁ ଶେଷ ଦିନରେ ମହାପ୍ରଭୁଙ୍କ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଚଳିତବର୍ଷ ୪ ଦିନ ପଞ୍ଚୁକ ଥିବାରୁ ପ୍ରଶାସନ ପକ୍ଷରୁ ଜାରି ହେଇଛି କଟକଣା । ଏହି ୪ ଦିନ ମଧ୍ଯରେ କେବଳ ପୂର୍ଣ୍ଣମୀ ଦିନ ଭିତରକାଠ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୁଏ ପଞ୍ଚୁକ ବ୍ରତ । ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ ପୂର୍ଣ୍ଣିମାରେ ରାଜ ରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ l ଯେଉଁ ବର୍ଷ ପଞ୍ଚୁକ ୬ ଦିନ ପଡେ ସେହି ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ମଧ୍ୟ କରାଯାଇଥାଏ  l ତେବେ ଦ୍ବାଦଶୀ ତିଥି କ୍ଷୟ ହେତୁ ଚଳିତବର୍ଷ ୪ ଦିନ ପଞ୍ଚୁକ ବ୍ରତ ପାଳନ କରାଯିବ । ତେଣୁ ଏଥର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Latest Posts

Don't Miss