କାର୍ତ୍ତିକ ମାସ ପରେ ଆହୁରି ସୁବିଧା ଓ ସହଜ ହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ । ଏନେଇ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି ଛତିଶା ନିଯୋଗ ବୈଠକ ଏହା ଉପରେ ମୋହର ବାଜିଛି ।

ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ପୁରୁଷ ଓ ମହିଳା ଭକ୍ତ, ଦିବ୍ୟାଙ୍ଗ ଭକ୍ତ, ଶିଶୁ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଧାଡି ବ୍ୟବସ୍ଥା ହେବ । ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ । ସମୁଦାୟ ୬ଟି ଲାଇନରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ।

ତେବେ ସ୍ୱତନ୍ତ୍ର କାଠ ବ୍ୟାରିକେଡରେ ଭକ୍ତମାନେ ଦର୍ଶନ କରିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ହେବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । କାଠ ବ୍ୟାରିକେଡକୁ ଉଚ୍ଚ କରିବା ସହ ଗରୁଡ ସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ୬ଟି ଲାଇନକୁ ୩ ଭାଗରେ ବିଭକ୍ତ କରାଯାଇ ଏହି ଦର୍ଶନ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ଓ ଆଗାମୀ ଦିନରେ ଏହାକୁ ନେଇ ତ୍ରୁଟି ଦେଖାଗଲେ ବିକଳ୍ପ ବ୍ଯବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।