ସମସ୍ତଙ୍କ ପାଇଁ କାଲିଠୁ ଖୋଲିବ ଶ୍ରୀମନ୍ଦିର ସହ ମା’ ସମଲେଶ୍ୱରୀ ମନ୍ଦିର

ପୁରୀ/ସମ୍ବଲପୁର: ଆସନ୍ତାକାଲିଠୁ ପୁରୀ ଶ୍ରୀମନ୍ଦିରରେ କାଳିଆ ଦର୍ଶନ । କଟକଣା ଭିତରେ ଶ୍ରୀଜିଓଙ୍କ ଦର୍ଶନ କରିବେ ଭକ୍ତ । ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ପ୍ରତିଦିନ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଦର୍ଶନ କରିପାରିବେ । ସାଧାରଣ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ନିକଟରେ ଚେକିଂ ଓ ସ୍କାନିଂର ବ୍ୟବସ୍ଥା ହୋଇଛି । ସିଂହଦ୍ୱାର ବାଟେ ପ୍ରବେଶ କରିବା ପରେ ଦର୍ଶନ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଭକ୍ତ ।

Puri Jagannath Temple Open For Public With Covid Guidelines From Tomorrow

ଦୀର୍ଘ ୧୦ ମାସ ପରେ କଳାସାଆନ୍ତଙ୍କ ଦର୍ଶନ କରିବେ ଭକ୍ତ । କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିବାରୁ ଅନେକ ସୌଭାଗ୍ୟ ମନେ କରୁଛନ୍ତି । ପ୍ରତିଦିନ ୧୫ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ । ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

Samaleswari Temple

ସେହିଭଳି ଆସନ୍ତାକାଲିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିବ । ଏଥିପାଇଁ ଚୂଡ଼ାନ୍ତ ପଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ୨ଟି ପର୍ଯ୍ୟାୟରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଥମ ପର୍ଯ୍ୟାୟ ସକାଳ ୬ରୁ ୧୧ଟା ୩୦ ଏବଂ ଦ୍ୱିତୀୟ ପର୍ଯାୟ ସକାଳ ୩ଟାରୁ ୭ଟା ୩୦ ମଧ୍ୟରେ ଦର୍ଶନ ସୁଯୋଗ ମିଳିବ । ଶ୍ରୀମନ୍ଦିର, ସମଲେଶ୍ୱରୀଙ୍କ ଭଳି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ମନ୍ଦିର ମଧ୍ୟ କଟକଣା ମଧ୍ୟରେ ଆସନ୍ତାକାଲିଠୁ ଖୋଲିବ ।

Leave a Reply