spot_img

Latest Posts

ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଟନେଲ ନୁହେଁ, ହେବ ସେଡ୍ ବ୍ୟବସ୍ଥା

ପୁରୀ : ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା। ଟନେଲ ନୁହେଁ, ଭକ୍ତଙ୍କ ପାଇଁ ନିର୍ମାଣ ହେବ ସେଡ୍। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଟେନ୍ସିଲ ଫାବ୍ରିକ ଶୀତତାପ ନିୟନ୍ତ୍ରିତ ସେଡେଡ ଚଲାପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମରିଚିକୋଟ ଛକ ଠାରୁ ପାପୁଡ଼ିଆ ମଠ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ଖାଲି କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ୮୪ ମିଟର ଲମ୍ବର ଏହି ଚଲାପଥ ୧୨ ମିଟର ଚଉଡା ରହିବା ସହିତ ଏଥିରେ ୧୦ଟି ଧାଡି ରହିବ। ପ୍ରତି ଧାଡିରେ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ବସିବାର ବ୍ୟବସ୍ଥା ସହ ପିଇବା ପାଣି, ଆଲୋକ ତଥା ଶୀତତାପ ବ୍ୟବସ୍ଥା ରହିବ। ସାଧାରଣ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିସ୍ଥାପିତ ହୋଇଥିବା ଉଠାଦୋକାନୀ ମାନେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

ଯାତ୍ରୀ ଓ ଗମନା ଗମନ ସୁବିଧା ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ବ୍ୟାରିକେଡ ତୁଳନାରେ ସେଡ଼ରେ ରହିବ ଅନେକ ସୁବିଧା। ଯାହାକୁ ନେଇ ପର୍ଯ୍ୟଟକ ସ୍ବାଗତ କରିବା ସହ ଏପରି ଏକ ଅଭିନବ ପରିକଳ୍ପନାକୁ ପ୍ରଶଂସା କରିଛନ୍ତି। ତେବେ ଏହି ନୂତନ ସେଡ଼ ନିର୍ମାଣ ଦ୍ୱାରା ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଦୋକାନୀ ଯେପରି ବିଶେଷ ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି।

ଶ୍ରୀକ୍ଷେତ୍ରର ବିକାଶ ତଥା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ଶୀତତାପ ସେଡେଡ଼ ଚଲାପଥ ବଡଦାଣ୍ଡର ଡ୍ରେନ ଠାରୁ ପ୍ରାୟ ୫ମିଟର ପରେ ନିର୍ମାଣ ହେଉଛି ।

 

Latest Posts

Don't Miss