ଦଶହରାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ

ପୁରୀ: ସୁନାରେ ଶ୍ରୀଜିଉ। ଆଜି ଦଶହରାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । ବର୍ଷକୁ ୫ଥର ସୁନାବେଶ ହେଉଥିବା ବେଳେ ଆଜି ଦିବସର ବିଶେଷତ୍ବ ରହିଛି  । ମଙ୍ଗଳବାର ମଧ୍ୟ ମହାପ୍ରଭୁଙ୍କୁ ଆୟୁଧ ଲାଗି ସହ ସମ୍ପନ୍ନ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଦୁର୍ଗାମାଧବଙ୍କ ସହ ରାମକୃଷ୍ଣ ଓ ଅନ୍ୟ ଦେବଦେବୀ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଥିଲେ । ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି ।

ଆଜି ବିଶେଷ ଦିନରେ ଭକ୍ତଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀମାନଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ସାହି କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଭସାଣ ମେଳଣ ନେଇ କରାଯାଇଛି ସୁବ୍ୟବସ୍ଥା । ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଗୋଷାଣୀ ମେଳଣକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।