ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେବାୟତ ଟିମଙ୍କ ଯାତ୍ରା ଆରମ୍ଭ

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେବାୟତ ଟିମଙ୍କ ଯାତ୍ରା ଆରମ୍ଭ ହୋଇଛି। ଗତକାଲି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ କରିଛି ଟିମ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯିବ।
ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନି ଜଣ ସଦସ୍ୟ ବାହାରି ଯାଇଛନ୍ତି। ଭୁବନେଶ୍ୱରରେ ପହଞ୍ଚି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହାପରେ ଚାରି ଧାମ, ୧୨ ଜ୍ୟୋର୍ତିଲିଙ୍ଗ ସହ ବିଭିନ୍ନ ଶୈବପୀଠ, ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ। ଜଣେ ଜଣେ ଅଧିକାରୀଙ୍କ ସହ ସେବାୟତଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ଗଠନ କରାଯାଇଛି।