ଗତ ୨୪ ଘଣ୍ଟାରେ ଗୋପରେ ସର୍ବାଧିକ ବର୍ଷା ରେକର୍ଡ, ୫ ଦିନ ପରେ ବଦଳିବ ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ଗୋପରେ ସର୍ବାଧିକ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୃଷ୍ଣପ୍ରସାଦରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ଜାରି ରହିଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୨୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୫ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।