ବଢ଼ିଲା କଟକଣା, ଆହୁରି ମାସେ ପର୍ଯ୍ୟନ୍ତ ବାହାର ଜିଲ୍ଲା ଲୋକଙ୍କ ଶବଦାହ ମନା

Swargadwar Management To Be Handover To Swargadwar Seba Samiti

ପୁରୀ: ବଢ଼ିଲା କଟକଣା । ଆହୁରି ମାସେ ପର୍ଯ୍ୟନ୍ତ ପୁରୀ ବାହାର ଜିଲ୍ଲା ଲୋକଙ୍କ ଶବଦାହ ମନା । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ନକରିବା ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା କଟକଣାକୁ ଆଉ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅକ୍ଟୋବାର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ପୁଣି ଲାଗୁ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାରୁ ମୃତଦେହ ନେଇ ନେଇ ପୁରୀ ସ୍ୱର୍ଗଦ୍ୱାର ଆସୁଥିବା ଗାଡ଼ି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଜିଲ୍ଲାରୁ ମୃତଦେହ ନେଇ ଆସୁଥିବା କୌଣସି ବି ଗାଡ଼ିକୁ ପୁରୀ ଭିତରକୁ ନଛାଡ଼ିବାକୁ କୁହାଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ଥରେ ଏକ ମାସ ପାଇଁ ଏହି କଟକଣାକୁ ବୃଦ୍ଧି କରାଯାଇଥିଲା । କରୋନା କାଳରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଛି ।

କରୋନା ପରିସ୍ଥିତି ସୁଧୁରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୂର୍ବରୁ କହିଥିଲେ ।

Leave a Reply