spot_img

Latest Posts

ପର କରିଦେଲା ପୁଅ: ମାଆକୁ ମଶାଣି ଆଣି ଅନ୍ତିମ ସଂସ୍କାର କଲେ ଚାରି ଝିଅ

ପୁରୀ: ପର କରିଦେଲା ପୁଅ । ଏପରିକି ମାଆର ମୃତଦେହ କାନ୍ଧେଇବାକୁ ମଧ୍ୟ ଆସିଲାନି । ଶେଷରେ ମାଆକୁ କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଲେ ଚାରି ଝିଅ। ମାଆ ମୃତଦେହକୁ ଚାରି କିଲୋମିଟର କାନ୍ଧେଇ ଚାଲି ଚାଲି ଯାଇଥିଲେ ସ୍ୱର୍ଗଦ୍ୱାର। ନୂଆବର୍ଷରେ ଏଭଳି ହୃଦୟବିଦାରକ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି ।

ଦିନକୁ ଦିନ ମାନବିକତା ହଜିଯାଉଛି । ଜନ୍ମ କଲା ମାଆକୁ ମଧ୍ୟ ଯତ୍ନ ନେବା ତ ଦୂରର କଥା ମଲା ପରେ କାନ୍ଧ ଓ ମୁଖାଗ୍ନି ଦେବାକୁ ନ ଆସିବା ଭଳି ଅଭାବନୀୟ ଘଟଣା ପୁରୀରେ ଦେଖିବାକୁ ମିଳିଛି । ଶେଷରେ ବିବାହିତା ଚାରି ଝିଅଙ୍କ କାନ୍ଧରେ ମାଆକୁ ନେଇ ଗଲେ ସ୍ୱର୍ଗଦ୍ୱାର । ଗତକାଲି ନୂଆବର୍ଷରେ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ବଡ଼ଦାଣ୍ଡରେ। ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟା ମାଆ ଜଟି ନାୟକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ଦୁଇ ପୁଅ ଥାଇ ମାଆର ମୃତ୍ୟ ଖବର ପାଇ ମଧ୍ୟ ଘରକୁ ଆସିବାକୁ ଉଚିତ ମନେ କଲେନି । ଶେଷରେ ସ୍ୱାର୍ଥପରତା ଓ ବିବେକାହୀନତା ଆଗରେ ମାନବିକତା ଜିତିଛି । ଚାରି ଝିଅ ସୀତାମଣୀ ସାହୁ, ସୁଶୀଳା ସାହୁ, ସୁମିତ୍ରା ସାହୁ ଓ ସରସ୍ୱତୀ ସାହୁ ସାହିବାସିନ୍ଦାଙ୍କ ସହଯୋଗରେ ମାଙ୍କ ଶବକୁ କାନ୍ଧେଇ ଦୀର୍ଘ ୪ କିଲୋମିଟର ଚାଲିଚାଲି ଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି। ମାଆ ବୋଝ ବୋହି ସମସ୍ତଙ୍କୁ ମଣିଷ କରିଥିଲେ। ବସ୍ତାରେ ମୁଢି ଧରି ସାହି ସାହି ବୁଲି ବିକି ଯାହା ପଇସା ଆଣନ୍ତି ସେଥିରେ ନିଜ ପିଲାଙ୍କ ତୁଣ୍ଡରେ ଦେଇଥିବା ମାଆ କିନ୍ତୁ ନିଜ ପୁଅଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିଲେ। ଏଭଳି କି ବିଜୁଳି ଓ ପାଣି ଦେଉନଥିଲେ ପୁଅ ମାଆ ଛାଡ଼ି ଚାଲିଯିବା ପରେ ମଧ୍ୟ କାନ୍ଧେଇବାକୁ ଆସିଲେ ନାହିଁ। ଶେଷରେ ଦିଅର କୁଞ୍ଜ ମୁଖାଗ୍ନି ଦେଇଥିଲେ। ଶବଦାହକୁ ନେଇ ଗତକାଲି ଭାଇ, ଭଉଣୀଙ୍କ ଭିତରେ ଝଗଡ଼ା ବି ହୋଇଥିଲା। ତେବେ ସାହିବାସିନ୍ଦାଙ୍କ ସହଯୋଗରେ ଶବଦାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ୪ ଝିଅ।

Latest Posts

Don't Miss