ସ୍ବର୍ଗଦ୍ବାର ଘିଅର ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ, ଯୋଗାଣକାରୀ ସମିତି କହିଲା ଅଭିଯୋଗ ଭିତ୍ତିହୀନ

1 min read

ପୁରୀ: ସ୍ବର୍ଗଦ୍ବାରରେ ଘିଅ ଯୋଗାଣକୁ ନେଇ ଉଠିଥିବା ପ୍ରସଙ୍ଗ ଏବେ ତୀବ୍ର ହେବାରେ ଲାଗିଛି l ଘିଅର ମାନ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ଘିଅ ଯୋଗାଉଥିବା ମହିଳା ସମିତି ଦୁର୍ନୀତି ନେଇ ଉଠିଥିବା ପ୍ରସଙ୍ଗକୁ ଭିତ୍ତିହୀନ କହିଛି । ସରକାରଙ୍କର ORMAS ସଂସ୍ଥା ଦ୍ୱାରା ସୁଦ୍ଧ ଘିଅ ପ୍ରଦାନ କରାଯାଉଥିବା କହିଛି ସମିତି । ଅନ୍ୟପକ୍ଷରେ FSSAI ମାନ୍ୟତା ନଥାଇ କିଭଳି ଘିଅ ପ୍ୟାକିଙ୍ଗ କରାଯାଉଛି ସେ ନେଇ ତଦନ୍ତ କରିବାକୁ ଆମ ଆଦମୀ ପାର୍ଟି ଦାବି କରିଛି ।

ସୂଚନାଯୋଗ୍ୟ, ଲୋକଙ୍କ ଭାବାବେଗ ସହ ଜଡ଼ିତ ପୁରୀ ସ୍ବର୍ଗଦ୍ବାର । ଜୀବନର ଶେଷ ଯାତ୍ରା ଏଠାରୁ କରିବାକୁ ସମସ୍ତଙ୍କ ଇଚ୍ଛା । ତେଣୁ ପ୍ରତିଦିନ ଶହ ଶହ ମୃତଦେହ ଏଠାରୁ ସଂସ୍କାର ପାଇଁ ଆସିଥାଏ । ପ୍ରତିଦିନ ଶହ ଶହ କେଜିର ଘିଅ ଶବଦାହ ପାଇଁ ବ୍ଯବହୃତ ହୁଏ । ତେବେ ବ୍ୟବହୃତ ଘିଅ ଠିକ ନଥିବା ଓ ଏହାକୁ ବେଆଇନ ଭାବେ ଯୋଗାଣ କରାଯାଉଥିବା ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଘିଅ ଯୋଗାଉଥିବା ସଂସ୍ଥା । ORMAS ସଂସ୍ଥା ଦ୍ୱାରା ପରିଚାଳିତ ମହିଳା ସମିତି ମାଧ୍ୟମରେ ସୁଦ୍ଧ ଘିଅ ସଂଗ୍ରହ କରାଯାଇ ଏହାକୁ ପ୍ୟାକିଙ୍ଗ କରାଯାଇ ସ୍ବର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ସଂଘର ସଭାନେତ୍ରୀ କହିଛନ୍ତି । ସେପଟେ ଅଭିଯୋଗ ଭିତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲପାଳ କହିଛନ୍ତି ।

ସ୍ୱର୍ଗଦ୍ୱାର ଘିଅ ଯୋଗାଣର ଅନିୟମିତତାକୁ ନେଇ ଆପ୍ ପ୍ରଶ୍ନ ଉଠାଇବା ପରେ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଘିଅର ମାନ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ FSSAI ମାନ୍ୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିନା FSSAI ର ମାନ୍ୟତା ଓ ଏକ୍ସପାୟାର ତାରିଖ ଲେଖା ନଥାଇ ଘିଅ ପ୍ୟାକେଜକୁ ନେଇ ତଦନ୍ତର ଆବଶ୍ୟକତା ଥିବା କହିଛି ଦଳ ।

ସ୍ୱର୍ଗଦ୍ୱାର ଭଳି ଧାର୍ମିକ ଓ ଆଧାତ୍ମିକ ସ୍ଥାନରେ ସରକାରଙ୍କ ଦ୍ୱାରା ପରିଚାଳିତ ORMAS ସଂସ୍ଥା ସୁଦ୍ଧ ଘିଅ ଯୋଗାଣ ଉପରେ ନଜର ଦେବା ନେଇ ସାଧାରଣରେ ଦାବି ହୋଇଛି ।