ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ । ଏହା ସହ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଲେ ଡିଜିପି । ରଥଯାତ୍ରା ପାଇଁ ପ୍ରାରମ୍ଭିକ ସମୀକ୍ଷା ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ରଥ ଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ,୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ , କମାଣ୍ଡାଣ୍ଟ ବା ଏସପି ପାହ୍ୟାର ୧୯ ଜଣ ,ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ଜଣ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସପି ପାହ୍ୟାର ୭୫ ଜଣ , ଇନ୍ସପେକ୍ଟର ୧୩୦ ଜଣ , ୬୭୫ ଜଣ ଏଏସଆଇ ଓ ଏସ ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ଵରେ ମୁତୟନ ରହିବେ । ୩ ପ୍ଲାଟୁନ ଓଏସଏଏଫ୍ ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ। ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ। ମହାମହିମ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥି ମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବ୍ଲାଙ୍କେଟ ସୁରକ୍ଷା ରେ ରହିବ ଶ୍ରୀକ୍ଷେତ୍ର।