ମାଉସୀ ମାଆ ମନ୍ଦିରରେ ପୋଡ଼ପିଠା ଖାଇଲେ ତିନି ଠାକୁର

ପୁରୀ: ଶ୍ରୀମନ୍ଦିର ଫେରିବା ପାଟରେ ମାଉସୀ ମାଆ ମନ୍ଦିରରରେ ଅଟକି ପୋଡପିଠା ଖାଇଲେ ତିନି ଠାକୁର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ଅଟକି ଥିଲେ ତିନି ଠାକୁର । ମାଉସୀ ନିଜ ହାତରେ ତିଆରି କରିଥିବା ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ପୁଣି ବାହାରି ଯାଇଛନ୍ତି ।

ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ମାଉସୀ ମାଆଙ୍କ ମନ୍ଦିରରେ ଅଟକି ଥିଲା । ମାଉସୀ ଅର୍ଦ୍ଧାସିନୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ତାଳଧ୍ବଜ ରଥ ଆଗକୁ ବାହାରି ଯାଇଥିଲା । ପରେ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅର୍ଦ୍ଧାସିନୀ ମନ୍ଦିରରେ ଲାଗିଥିଲା । ମାଉସୀ ମାଆଙ୍କ ପୋଡ଼ ପିଠା ଖାଇବା ପରେ ମହାମାୟିଙ୍କ ରଥ ଶ୍ରୀମନ୍ଦିର ମୁହାଁ ହୋଇଥିଲା ।

ଶେଷରେ ରଥରେ ବସି ହଲି ହଲି ଝୁଲି ଝୁଲି ମାଉସୀ ମାଆ ମନ୍ଦିର ସମ୍ମୁଖରେ ଲାଗିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ରଥରୁ ଥାଇ ମାଉସୀଙ୍କୁ ଅନାଇ ଦେଇ ମୁରୁକି ହସି ଦେଇଥିଲେ ଜଗତନାଥ ଜଗନ୍ନାଥ । ଆଉ ଜଗାର ଏହି ହସ ଦେଖି ମାଉସୀ ବି ତା’ ମନ କଥା ବୁଝି ପାରିଥିଲେ । ସଙ୍ଗେ ସଙ୍ଗେ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଜଗା ପାଖରେ ଆଣି ପହଞ୍ଚାଇ ଦେଇଥିଲେ ଦାସଦାସି । ଆଉ ଜଗା ମହା ଆନନ୍ଦରେ ମାଉସୀଙ୍କ ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ଯାଇଥିଲେ ।