ବାହୁଡ଼ା ଯାତ୍ରା: ଶରଧାବାଲିରେ ଆରମ୍ଭ ହେଲା ରଥଟଣା, ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ: ସମସ୍ତ ନୀତିକାନ୍ତି ପରେ ଶରଧାବାଲିରେ ଗଡ଼ିଲା ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ରଥଟଣା ଚାଲିଛି । କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ସୁରକ୍ଷା ବଳୟ ଭିତର ଭକ୍ତମାନେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥକୁ ଆଗକୁ ଆଗକୁ ଟାଣି ନେଇଥିଲେ । ରଥ ଯାଇ ମାଉସୀ ମାଆ ମନ୍ଦିର ପାଖରେ ଅଟକିଛି ।

ପଛରେ ଦେବୀ ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ଆଣୁଛନ୍ତି । ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ମାଉସୀ ମାଆ ମନ୍ଦିର ପାଖରେ ପହଞ୍ଚି । ଏହାପରେ ମହାପ୍ରଭୁଙ୍କ ରଥ ଆସି ମାଉସୀ ଘର ମନ୍ଦିର ଆଗରେ ଲାଗିବ । ତିନି ଠାକୁର ଏଠାରେ ଅଟକିବାର କାରଣ ରହିଛି । ଏଠାରେ ତିନି ଦିଆଁ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।

ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା ।