ପହଣ୍ଡିରେ ଜନ୍ମବେଦୀରୁ ରଥକୁ ଓହ୍ଲାଇ ଆସିଲେ ତିନି ଠାକୁର

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଜି ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରୁଛନ୍ତି ତିନି ଠାକୁର । ସକାଳୁ ସକାଳୁ ତିନି ଠାକରୁଙ୍କ ସମସ୍ତ ରୀତିନୀତି ସୁରୁଖୁରରେ ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ହୋଇଥିଲା ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ । ଏହାପରେ ବଡ଼ ଠାକୁର ବଳଭର୍ଦ ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିରାଜମାନ ହୋଇଥିଲେ । ବଡ଼ ଭାଇ ଆସିବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ମାତା ସୁଭଦ୍ରା ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜିତ ହୋଇଥିଲେ । ଭାଇ, ଭଉଣୀ ଆସି ସାରିଥିବା ବେଳେ କାଳିଆ ସାଆଁନ୍ତଙ୍କ ଆଗମନକୁ ଶ୍ରଧ୍ଧାଳୁ ଚାତକ ପରି ଅନାଇ ରହିଥିଲେ । ଏପଟେ ଭାଇ,ଭଉଣୀ ଆସି ସାରିଥିବାରୁ ଆଉ ଜନ୍ମବେଦୀରେ ମହାପ୍ରଭୁଙ୍କ ମନ ଲାଗୁ ନଥିଲା । ଏପଟରେ ଭକ୍ତ ରଙ୍କୁଣାଙ୍କ କାନରେ ବାଜୁଥିଲା ଜୟ ଜଗନ୍ନାଥ ଧ୍ବନୀ । ଯାହା ଶୁଣିବା ପରେ ଆଉ ରହି ପାରି ନଥିଲେ ମହାପ୍ରଭୁ । ତରତର ହୋଇ ଗୁଣ୍ଡିଚା ମନ୍ଦିରରୁ ବାହାରି ଆସିଥିଲେ । ଟାହିଆ ଲଗାଇ ଝୁଲି ଝୁଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ବିଶ୍ବ ନିଆନ୍ତା ।

ବାହୁଡ଼ା ଯାତ୍ରାରେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ତିନି ଠାକୁରଙ୍କୁ ରଥରେ ଦେଖି କୋଟି ଜନ୍ମର ପୂଣ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନ ପ୍ରକମ୍ପିତ ହେଉଛି । ରଥ ଆଗରେ ହାତ ଟେକି ଦେଇ ଶ୍ରଦ୍ଧାରୁ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଉଛନ୍ତି ।

ଏପଟେ ପହଣ୍ଡି ସରିବା ପରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ନୀତିକାନ୍ତି କରାଯାଉଛି । ଜଗପତି ମହାରାଜ ସ୍ବର୍ଣ୍ଣ ଖଡିକାରେ ତିନି ରଥରେ ଛେରାପହଁରା କରିବା ପରେ ଆରମ୍ଭ ହେବା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।