ପଞ୍ଜାବୀ ରାପର ସିଦ୍ଧୁ ମୋସେ ଓ୍ବାଲାଙ୍କ ଶେଷକୃତ୍ୟ, ସାମିଲ ହେଲେ ହଜାର ହଜାର ଶୋକାକୁଳ ଜନତା

ଚଣ୍ଡିଗଡ଼: ପଞ୍ଚଭୂତରେ ଲୀନ ହେଲା ପଞ୍ଜାବର ସୁନାମଧନ୍ୟ ରାପର ତଥା କଂଗ୍ରେସ ନେତା ସିଦ୍ଧୁ ମୋଜେ ଓ୍ବାଲା । ଆଜି ତାଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକଙ୍କ ଯୋଗଦାନ କରିଥିଲେ । ଗତ ରବିବାର ତାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ପଞ୍ଜାବରେ ଶୋକର ଛାୟା ଖେଳିଛି । ମୋଜେ ଓ୍ବାଲାଙ୍କ ନିଜ ଗ୍ରାମ ଜଓ୍ବାହାରକେରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ କରାଯାଇଛି । ଶେଷକୃତ୍ୟ ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ତାଙ୍କ ମରଶରୀର ମାନସା ସିଭିଲ ହସ୍ପିଟାଲରୁ ଗ୍ରାମକୁ ନିଆଯିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଉପରକୁ ଦୁର୍ବୃତ୍ତମାନେ ୨୪ରୁ ଅଧିକ ଗୁଳି ମାରିଥିବା ସୂଚନା ମିଳିଛି । ସେପଟେ ମୋଜେ ଓ୍ବାଲାଙ୍କ ସିକ୍ୟୁରିଟି ପ୍ରତ୍ୟାହାରକୁ ନେଇ ବଢିଛି ରାଜନୀତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ୪୦୦ରୁ ଅଧିକ ଭିଆଇପିଙ୍କ ସିକ୍ୟୁରିଟି କାହିଁକି ପ୍ରତ୍ୟାହାର କରାଗଲା ସେନେଇ ଜୁନ ୨ ସୁଦ୍ଧା ଉତ୍ତର ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ । ହତ୍ୟାକାଣ୍ଡ ପରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ।