spot_img

Latest Posts

ବିଜେପି ରାସ୍ତାରେ ଚାଷୀ ଅଡୁଆ: ପଞ୍ଜାବ ପୌର ନିର୍ବାଚନରେ ବାଜି ମାରିଲା କଂଗ୍ରେସ

ପଞ୍ଜାବ ଚାଷୀଙ୍କ ନେତୃତ୍ୱରେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବରେ ପ୍ରଥମ କରି ନିର୍ବାଚନ ଅନୁଷ୍ଠିତ ହୋଇଛି। ଯେଉଁଥିରେ ବିଜେପି ପ୍ରତି ଜନତାଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ିଛି। ନିର୍ବାଚନରେ ବିଜେପିର ଫଳ ବେଶ୍ ନୈରାଶଜନକ ରହିଛି। ଅନ୍ୟପଟେ କଂଗ୍ରେସ କିନ୍ତୁ ବାଜି ମାରିନେଇଛି।

ଫେବୃୟାରୀ ୧୪ରେ ୧୧୭ ପୌରପରିଷଦ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ନିର୍ବାଚନ ଫଳ ବାହାରୁ ଥିବା ବେଳେ ଆରମ୍ଭରୁ ପ୍ରାୟ ସବୁ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି। ଗୁରୁଦାସପୁରର ମୋଟ ୨୯ଟି ୱାର୍ଡ଼ ମଧ୍ୟରୁ ୧୫ଟିରେ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ସୁଲତାନପୁରର ୭ଟି ୱାର୍ଡ଼ରୁ ୨ଟିରେ ଅକାଳି ଦଳ ଓ ଅନ୍ୟ ୫ଟିରେ କଂଗ୍ରେସ ବାଜିମାତ କରିଛି। ସେପଟେ ପଟିଆଲାର ରାଜପୁରା ନଗର କାଉନସିଲ ଅଞ୍ଚଳରେ ୩୧ ୱାର୍ଡରୁ ୨୭ଟିରେ କଂଗ୍ରେସ ଜିତିଛି। ୨ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ସିଟ୍ ଅକାଳି ଦଳ ଖାତାରେ ପଡିଛି।

ଅମୃତସର ଜିଲାରେ ୧୫ଟି ୱାର୍ଡ ମଧ୍ୟରୁ ୮ଟିରେ ଅକାଳି ଦଳ ଆଗରେ ଥିବା ବେଳେ ୭ଟି ସିଟ୍ କଂଗ୍ରେସ କବଜା କରିଛି। ସେହିପରି ମୋଗାରେ ଅକାଳି ଦଳ ହାତକୁ ୧୫ ସିଟ୍ ଯାଇଥିବା ବେଳେ କଂଗ୍ରେସ ହାତକୁ ୨୦ ସିଟ୍ ଯାଇଛି। ବିଜେପି ମାତ୍ର ଗୋଟିଏ ସିଟ୍ ପାଇଛି। ଆପ୍ ୪ଟି ସିଟରେ ଜିତିଥିବା ବେଳେ ଅନ୍ୟ ୧୦ଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ଆହୁରି ଅନେକ ସ୍ଥାନରେ ଫଳାଫଳ ଆସି ନ ଥିବା ବେଳେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଯୋଗୁ ବିଜେପି ହାତରୁ ଅନେକ ସିଟ୍ ଖସି ଯାଇଛି ବୋଲି କୁହାଯାଉଛି।

Latest Posts

Don't Miss