ବାଙ୍ଗାଲୋରର ବିଜୟ ରଥକୁ ରୋକିବାକୁ ପଡ଼ିଆକୁ ଓହ୍ଲାଇବ ପଞ୍ଜାବ

Punjab Kings face uphill challenge against Royal Challengers Bangalore's

ନୂଆଦିଲ୍ଲୀ: ଆଜି ଆଇପିଏଲର ଆଉ ଏକ ବଡ଼ ମୁକାବିଲା । ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସାମ୍ନା କରିବ ପଞ୍ଜାବ କିଙ୍ଗ୍ସ । ୬ ମ୍ୟାଚରୁ ୧୦ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଆରସିବି ଥିବାବେଳେ କେବଳ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରିବ । ବିରାଟ କୋହଲିଙ୍କ ନେତୃତ୍ବାଧିନ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚକୁ ରୋମାଞ୍ଚକର ଭାବେ ୧ ରନରେ ଜିତିବା ପରେ ଆରସିବିର ଆତ୍ମବିଶ୍ବାସ ଆହୁରି ଉଚ୍ଚରେ ପହଞ୍ଚିଛି ।

ଅନ୍ୟପକ୍ଷରେ ସଠିକ୍ ସନ୍ତୁଳନ ପାଇଁ ସଂଘର୍ଷ କରୁଥିବା କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ତା’ର ପୂର୍ବ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୫ ୱିକେଟରେ ପରାଜିତ ହୋଇଥିଲା । ସବୁଠାରୁ ବଡ଼ କଥା ହେଲା ଦଳରେ ଆପାତତଃ ସମସ୍ତ ବ୍ୟାଟ୍ସମ୍ୟାନ୍ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି । ବୋଲିଂ ବାହିନୀ ମଧ୍ୟ ଭଲ ପ୍ରଦର୍ଶନ ଦେବାରେ ଏକପ୍ରକାର ବିଫଳ ହୋଇଛି । ଏସବୁ କଥାକୁ ବିଚାରକୁ ନେଲେ ପଞ୍ଜାବ କିଙ୍ଗ୍ସ ଆଜିର ମ୍ୟାଚରେ କଠିନ ପରୀକ୍ଷାର ସମ୍ମୁଖୀନ ହେବା ପୂରା ନିଶ୍ଚିତ ।

ଆରସିବିକୁ ହରାଇବାକୁ ହେଲେ ଏହି ଦଳକୁ ଅତ୍ୟନ୍ତ ଉଚ୍ଚକୋଟୀର କ୍ରିକେଟ୍ ଖେଳିବାକୁ ହେବ । ଅନ୍ୟପଟେ ଆରସିବି ପାଇଁ ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ଭିଲିୟର୍ସ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେଉଛନ୍ତି । ମହମ୍ମଦ ସିରାଜ, ହର୍ଷଲ ପଟେଲଙ୍କ ବୋଲିଂକୁ ସାମ୍ନା କରିବା ଅଧିକାଂଶ ପ୍ରତିପକ୍ଷଙ୍କ ପାଇଁ ସହଜ ହେଉନି । ଏମାନଙ୍କ ଛଡ଼ା ଦେବଦତ୍ତ ପଡ଼ିକଲ ଓ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ବହୁତ ଭଲ କ୍ରିକେଟ୍ ଖେଳୁଛନ୍ତି । ଅଧିନାୟକ ବିରାଟ କୋହଲି ଗତକିଛି ମ୍ୟାଚରେ ଆଶାଜନକ ପ୍ରଦର୍ଶନ କରି ନଥିବାରୁ ଶୁକ୍ରବାର ଏକ ବଡ଼ ପାଳି ଖେଳିବା ଆଶା କରାଯାଇପାରେ ।

Leave a Reply