ଅମୃତସରର ଇସଲାମାବାଦ ଥାନା ନିକଟରେ ବିସ୍ଫୋରଣ,ମାଫିଆ ଲିଙ୍କ୍ ସନ୍ଦେହ

ଅମୃତସର: ଅମୃତସରର ଇସଲାମାବାଦ ଥାନା ନିକଟରେ ଆଜି ଭୋର୍ ସମୟରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ରାତି ପ୍ରାୟ ୩ଟା ବେଳେ ଏହି ବିସ୍ଫୋରଣର ଶବ୍ଦରେ ସ୍ଥାନୀୟ ଅଂଚଳ ଥରି ଉଠିଥିଲା । ଭୟଭୀତ ଲୋକ ଘର ବାହାରୁ ଚାଲି ଆସିଥିଲେ । ତେବେ ଥାନାରେ କୌଣସି ବିସ୍ଫୋରଣ ହୋଇନଥିବା ପରେ ଜଣା ପଡି଼ଥିଲା । ଏହି ବିସ୍ଫୋରଣ ପାଇଁ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ନିଜକୁ ଦାୟୀ କରିଛି। ଭୋର ପ୍ରାୟ ୩ଟା ରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଘର ଭିତରେ ଥିବା କାନ୍ଥ ଥରି ଉଠିବା ସହିତ ଫଟୋ ତଳକୁ ଖସି ପଡ଼ିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଲା ଗ୍ୟାଙ୍ଗଷ୍ଟରର ପୋଷ୍ଟ : 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୋଷ୍ଟରେ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ଇସଲାମାବାଦ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୧୯୮୪ ମସିହାରୁ ସରକାର ସହ ମିଶି ସେମାନେ ଶିଖ୍ ଓ ସେମାନଙ୍କ ପରିବାରବର୍ଗ ସହିତ କ’ଣ କରିଛନ୍ତି ତାହା ପୁଲିସକୁ ଜଣାଇବା ପାଇଁ ଆଜି ମୁଁ ଅମୃତସରର ଇସଲାମାବାଦ ପୁଲିସ ଷ୍ଟେସନ ଉପରକୁ ଗ୍ରେନେଡ୍ ଫିଙ୍ଗାଇଥିଲି ଓ ଏହାର ଉତ୍ତରଦାୟିତ୍ୱ ମୁଁ ନେଉଛି ବୋଲି ସେ ପୋଷ୍ଟରେ ଦାବି କରିଛି । । ଆଗକୁ ଯଦି ସରକାର ଓ ପୋଲିସ ଏପରି କରିବା ଯାରି ରଖନ୍ତି ତେବେ ତାହାର ଉତ୍ତର ଦିଆଯିବ ବୋଲି ଫୌଜି ପୋଷ୍ଟରେ ଉଲ୍ଲେଖ କରିଛି। ଏହା ପୂର୍ବରୁ ବୁଧବାର ରାତି ପ୍ରାୟ ୧୦ଟା ବେଳେ ଅମୃତସରର ମଜିଥା ଥାନା ଭିତରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଥାନାର ଝରକା ଭାଙ୍ଗି ଯାଇଥିଲା। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଥାନା ଫାଟକ ନିକଟରେ ଥିବା ଏକ ଖୋଲା ସ୍ଥାନରେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ଥାନାର ଗେଟ୍ ବନ୍ଦ କରି ଦିଆଯାଇଥିଲା।

କ’ଣ କହିଲେ ଅମୃତସର ପୋଲିସ କମିଶନର ?

ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ଥାନା ଭିତରେ କୌଣସି ବିସ୍ଫୋରଣ ହୋଇନାହିଁ, କିନ୍ତୁ ଆମେ ତଦନ୍ତ କରୁଛୁ। ଆଜି ସକାଳେ ନିଶ୍ଚିତ ଭାବେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଆମେ ନିକଟରେ ୟୁଏପିଏ ଅଧୀନରେ ୧୦ ଜଣଙ୍କୁ ଗିରଫ କରି ଏକ ମଡ୍ୟୁଲର ପର୍ଦ୍ଦାଫାସ କରିଛୁ ଯାହା ଏପରି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ନିରାଶ ହୋଇ ନିଜର ଉପସ୍ଥିତି ଜାହିର କରିବା ପାଇଁ ଏହି ଲୋକମାନେ ଏଭଳି ଘଟଣା ଘଟାଇଥିବା ଜଣାପଡିଛି । ଖୁବ୍ ଶୀଘ୍ର ବାକି ଲୋକଙ୍କୁ ମଧ୍ୟ ଗିରଫ କରାଯିବ।

ପଞ୍ଜାବ ପୁଲିସକୁ ସତର୍କ କଲା ଏନଆଇଏ :

ସେପଟେ ପଞ୍ଜାବକୁ ଆତଙ୍କିତ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବ ପୋଲିସକୁ ଏକ ରିପୋର୍ଟ ପ୍ରଦାନ କରିଛି । ପ୍ରଥମ ଟାର୍ଗେଟ ପଞ୍ଜାବର ପୋଲିସ ଷ୍ଟେସନଗୁଡିକ ହେବ କାରଣ ଅତୀତରେ ପଞ୍ଜାବର ପାଖାପାଖି ୫ଟି ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଏବଂ ଆଇଇଡି ଆକ୍ରମଣ ହୋଇଛି । ଏଭଳି ଆଶଙ୍କା ପରେ ଏନଆଇଏ ପଞ୍ଜାବ ଉପରେ ନଜର ରଖିଥିଲା । ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଖଲିସ୍ତାନୀ ଆତଙ୍କବାଦୀମାନେ ୧୯୮୪ରେ ବ୍ୟବହୃତ ଡେଡ୍ ଡ୍ରପ୍ ମଡେଲ୍ ଭଳି ଆକ୍ରମଣ କରୁଛନ୍ତି, ଯାହା ପରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି।