ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ : ଚନ୍ନି ସରକାରକୁ ଖୋଦ କଂଗ୍ରେସର ଟାର୍ଗେଟ

ଅମୃତସର: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଝଡ ଖୋଦ କଂଗ୍ରେସରେ ହିଁ କନ୍ଦଳ ସୃଷ୍ଟି ଲାଗିଛି । ପଞ୍ଜାବ ସରକାର, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ଫେରି ଯିବାକୁ ପଡିଛି  ।  ରାଜ୍ୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରର୍ତ୍ତମାନର କଂଗ୍ରେସ ନେତା ସୁନିଲ ଝାଖଡ଼େ ଚନ୍ନି ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।  ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସ୍ୱର ମିଶାଇଛନ୍ତି  । ସୁରକ୍ଷା ବ୍ୟବସ୍ଥାରେ ପଞ୍ଜାବ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଉଲ୍ଲେଖ କରିଛନ୍ତି ସୁନିଲ ଝାଖଡ଼େ  । ସଦ୍ୟ ସୂଚନା ମୁତବାକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସୋନିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ଦେଶର, ତାଙ୍କର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର  । ତେଣୁ ଏହି ଘଟଣାରେ ଯେଉଁମାନେ ମଧ୍ୟ ଦାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ କହିଛନ୍ତି ସୋନିଆ  ।

ପଞ୍ଜାବରେ ଆସନ୍ତା ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି  । ଠିକ ଏତିକିବେଳେ ପଞ୍ଜାବର ସତ୍ତାଧାରୀ ଦଳ କଂଗ୍ରେସ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଛି  । ପୂର୍ବରୁ କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦଳରୁ ଇସ୍ତଫା ଦେଇଥିଲେ  । ସେପଟେ ପଞାବ କଂଗ୍ରେସର ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ କାର୍ଯ୍ୟକଳାପ କଂଗ୍ରେସକୁ ହରଡ ଘଣାରେ ପକାଇଛି  । କେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ତ କେତେବେଳେ ପଦବୀରୁ ଇସ୍ତଫା ଦେବା ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ସିଦ୍ଧୁ  । ସେହିପରି ନିର୍ବାଚନୀ ରାଲିରେ ଖୋଦ କଂଗ୍ରେସ ସରକାରକୁ ଟାର୍ଗାଟେ କରିବାକୁ ପଛାଇ ନାହାଁନ୍ତି ସିଦ୍ଧୁ  । ସିରୋମଣି ଅକାଳୀ ଦଳ ନେତା ବିକ୍ରମ ମଜିଠିଆଙ୍କୁ ଗିରଫ କରିବାକୁ ନେଇ ଗୃହମନ୍ତ୍ରୀ ତଥା ପଞ୍ଜାବ ସରକାରଙ୍କୁ ପ୍ରଶ୍ନ କରିଥିଲେ  । ସେପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ଏପରି ବୟାନକତୁ ନେଇ ଗୃହମନ୍ତ୍ରୀ ସୁଖଜିନ୍ଦର ରନ୍ଧାୱା ପଦବୀରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ  ।

ଏହି ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ଚରଣ ଜିତ ଚନ୍ନିଙ୍କୁ ଭେଟିଥିଲେ  ଗୃହମନ୍ତ୍ରୀ ରନ୍ଦାୱା  । ପିସିସି ସଭାପତି ନବଜ୍ୟୋତି ସିଂ ସିଦ୍ଧୁ ମୋର କାର୍ଯ୍ୟକଳାପକୁ ନେଇ ନାରାଜ ଅଛନ୍ତି  । ଏପରିକି ରନ୍ଧାୱା କହିଛନ୍ତି, ମୁଁ ଗୃହ ମନ୍ତ୍ରାଳୟକୁ ସିଦ୍ଧୁଙ୍କ ଚରଣରେ ଏକ ମିନିଟ ପାଇଁ ରଖିଦେବାକୁ ରାଜି ଅଛି  । ପଞ୍ଜାବରେ କଂଗ୍ରେସ ନେତାଙ୍କ ଭିତରେ ଚାଲିଥିବା ଏହି ବିବାଦ ହିଁ ଦଳକୁ ପଙ୍କଭର୍ତ୍ତି ପୋଖରୀରେ ଭର୍ତ୍ତି କରିଛି  । ଗତକାଲି ଅର୍ଥାତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତ କରିଥିଲେ  । ଭଟିଣ୍ଡାରୁ ଫିରୋଜପୁର ଗାଡିରେ ଯିବା ପାଇଁ ନିଷ୍ପତ୍ତି ଥିଲା  । ପ୍ରାୟ କାର୍ଯ୍ୟକ୍ରମ ସ୍ଥଳ ୩୦ କିଲୋମମିଟର ବାକି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଇଦେଇଥିଲେ ଆନ୍ଦୋଳନକାରୀ କୃଷକ  । ଦେଶରେ ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଅଟକାଇବା ଘଟଣା ଦେଖିବାକୁ ମିଳିଥିଲା  । ଏପରିକି ଏକ ଫ୍ଲାଏଓଭର ବ୍ରିଜ ଉପରେ ୨୦ ମିନିଟ ଧରି ଅଟକି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲିଖିତ ହେବାରୁ ପ୍ରଧାନମନ୍ତ୍ରୀ ଫେରିଯାଇଥିଲେ  । ସେପଟେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା  ।

ତେବେ ଦେଶର ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଇଦେବା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା  । ରାଜ୍ୟର ଗୃହମନ୍ତ୍ରାଳୟର ଢିଲା ସୁରକ୍ଷା ବ୍ୟବସ୍ଥା ହିଁ ଏଥିପାଇଁ ଦାୟୀ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ଆରୋପ ଲଗାଇଛି  । ଏପରିକି ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଫସି ରହିଥିଲେ, ସେହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙେ୍କ ଫୋନ କଲକୁ ମୁଖ୍ୟମନ୍ତ୍ରୀ ଚନ୍ନି ଏବଂ ପଞ୍ଜାବ ଡିଜିପି ରିସିଭ କରିନଥିବା ଅଭିଯୋଗ କରିଛି ବିଜେପି  । କଂଗ୍ରେସ ନେତା ସୁନିଲ ଝାଖଡ ମଧ୍ୟ ପଞ୍ଜାବ ସରକାରର ଏପରି କାର୍ଯ୍ୟାଳପକୁ ନିନ୍ଦା ପ୍ରକଟ କରିଛନ୍ତି  । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ଏପରି ସ୍ଥିତି ପଞ୍ଜାବୀୟତର ବିରୋଧକୁ ପରିଲିଖିତ କରୁଛି  ।

ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଯିବା ରାସ୍ତାର ସୁପରିଚାଳନା ଏବଂ କଡା ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ସମ୍ପୂର୍ଣ୍ଣ ପଞ୍ଜାବ ପୋଲିସର ଦାୟିତ୍ୱ  । କିନ୍ତୁ ଯାହା ବୁଧବାର ଘଟିଛି, ତାହା ସମ୍ପୂର୍ଣ୍ଣରୂପେ ଅଗ୍ରହଣୀୟ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି  । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ରାଜ୍ୟ ସରକାରକୁ ନିଶାନା କରିଛନ୍ତି  । ଯେଉଁସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାରକେଡ଼ ଅଟକିଥିଲା, ଉକ୍ତ ସ୍ଥାନରୁ ପାକିସ୍ତାନ ବର୍ଡର ମାତ୍ର ୧୦ କିଲୋମିଟର ଦୂର  । ଗତବର୍ଷ ଶହ ଶହ ବିଦେଶୀ ଡ୍ରୋନ ଉକ୍ତ ସ୍ଥାନରୁ ହିଁ ଉଦ୍ଧାର କରାଯାଇଥିଲା  । ତେବେ ଏପରିସ୍ଥିତିରେ ପଞ୍ଜାବ ସରକାର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ପାରୁନାହାଁନ୍ତି ଯଦି ସମଗ୍ର ରାଜ୍ୟ ପାଇଁ ଶାସନ ବ୍ୟବସ୍ଥା ଭୁଷୁଡିବା ସମାନ  । ଏପରି ସ୍ଥିତିରେ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଆବଶ୍ୟକ ବୋଲି କହିଛନ୍ତି ଅମରିନ୍ଦର ସିଂ  ।

 

Leave a Reply