ଏପ୍ରିଲ ୧୫ ତାରିଖରେ ତିହାର ଜେଲରେ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ !

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। କେଜରିଓ୍ବାଲଙ୍କ ସହ ସାକ୍ଷାତକାର କରିବା ପାଇଁ ଅନୁମତି ମିଳିଛି। ଏହି ଅନୁମତି ଜେଲ୍ କର୍ତ୍ତୃପକ୍ଷ ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ଦୁଇ ମୁଖ୍ଯମନ୍ତ୍ରୀ ପରସ୍ପରକୁ ଭେଟିବେ ବୋଲି ସୂଚନା ମିଳିଛି। ଭଗଓ୍ବନ୍ତଙ୍କ ଗସ୍ତ ଲାଗି ତିହାର ଜେଲ କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ଦିଲ୍ଲୀ କାରାଗାର ନିୟମାବଳୀ ଅନୁସାରେ ଏହି ସାକ୍ଷାତ ଆଲୋଚନା ହେବ।

ଅନ୍ୟପଟେ ଯେଉଁ ୬ ଜଣଙ୍କ ସହ ସାକ୍ଷାତ କରିବା ଲାଗି କେଜ୍ରିଓ୍ବାଲ ଅନୁମତି ମାଗିଥିଲେ ସେମାନଙ୍କ ମଧ୍ୟରେ ଭଗଓ୍ବନ୍ତ ଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଆସନ୍ତା ଏପ୍ରିଲ ୧୫ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ।