ଆଜି ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ରେ ଡକ୍ଟର ଗୁରପ୍ରୀତ କୌରଙ୍କୁ କରିବେ ବିବାହ

ଚଣ୍ଡିଗଡ଼: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ । ଭଗବନ୍ତ ମାନଙ୍କ ଏହା ହେବ ଦ୍ୱିତୀୟ ବିବାହ । ପ୍ରଥମ ପତ୍ନୀଙ୍କ ସହ ମାନ୍ ଙ୍କ ବିବାହ ବିଚ୍ଛେଦ ହୋଇସାରିଛି । ଡକ୍ଟର ଗୁରପ୍ରୀତ କୌରଙ୍କୁ ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଚଣ୍ଡିଗଡ଼ର ସେକ୍ଟର ୮ ସ୍ଥିତ ଗୁରୁଦ୍ୱାରା ସାହିବରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବିବାହ ଉତ୍ସବରେ ଆମ୍ ଆଦମୀ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ଓ ମନୀଷ ସିସୋଦିଆ ସପରିବାର ଯୋଗ ଦେବେ ।

ମାନ୍ ଓ ପ୍ରଥମ ପତ୍ନୀଙ୍କ ମଧ୍ୟରେ ୨୦୧୫ରେ ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ବିବାହରୁ ଭଗଓ୍ୱନ୍ତଙ୍କ ଦୁଇ ସନ୍ତାନ ଅଛନ୍ତି । ମାଆଙ୍କ ସହ ସେମାନେ ଏବେ ଆମେରିକାରେ ରହୁଛନ୍ତି । ମାନ୍ ରାଜନୀତିକୁ ଆସିଥିବାରୁ ସେ ଖୁସି ନ ଥିଲେ ବୋଲି କୁହାଯାଉଛି । ପରିବାର ଛାଡ଼ି ସେ ପଞ୍ଜାବକୁ ବାଛିଛନ୍ତି ବୋଲି ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ମାନ୍ କହିଥିଲେ । ଦ୍ୱିତୀୟ ବିବାହ ପାଇଁ ମାନଙ୍କ ପରିବାର ହିଁ କନ୍ୟା ଚୟନ କରିଛନ୍ତି । ବିବାହ ଖର୍ଚ୍ଚ ନିଜେ ମାନ୍ ବହନ କରିବେ । ଏଥିପାଇଁ ସରକାରୀ ଖର୍ଚ୍ଚରେ କୌଣସି ବ୍ୟବସ୍ଥା ହେବ ନାହିଁ ।