ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା, ଅଶାନ୍ତ ହୋଇପଡିଛି ପଞ୍ଜାବ

ଅମୃତସର: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅଶାନ୍ତ ପଞ୍ଜାବ । ଗୁଳିକାଣ୍ଡକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମୀଙ୍କ ପକ୍ଷରୁ କରାଯାଇଛି ପ୍ରତିବାଦ । ଅମୃତସରରେ ଶିବସେନା କର୍ମୀଙ୍କ ଜୋରଦାର ପ୍ରତିବାଦ କରାଯାଇଥିବାବେଳେ ରେଳରୋକ ଆନ୍ଦୋଳନ କରାଯାଇଛି । ଶହ ଶହ କର୍ମୀର ରେଳପଥ ଅବରୋଧ କରିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ସରକାର ନୀରବ ଥିଲେ ବୋଲି ଅଭିଯୋଗ କରିଛନ୍ତି କର୍ମୀ । ସେହିପରି ଜାମ୍ମୁରେ ବି ହତ୍ୟା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଗତକାଲି ଶିବସେନା ତକସାଲିର ନେତା ସୁଧୀରଙ୍କୁ ଡଜନେ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଫାୟାରିଂ କରି ହତ୍ୟା କରାଯାଇଥିଲା । ଏକ ମନ୍ଦିରର ପରିଚାଳନା ନୀତି ବିରୋଧରେ ସୁଧୀର ଧାରଣାରତ ଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା ।

ଗୁଳିକାଣ୍ଡ ଘଟାଇବା ଲାଗି ଆତତାୟୀଜଣକ ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଏକ ଏସୟୁଭିରେ ଆସି ଗୁଳିମାଡ଼ କରିଥିଲା । ତେବେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।