ପଞ୍ଜାବରେ ସିଦ୍ଧୁ, ଚନ୍ନି, ଅମରିନ୍ଦର ଓ ପ୍ରକାଶ ସିଂ ବାଦଲଙ୍କୁ ପାଣି ପିଆଇଲେ ଆପ୍ ପ୍ରାର୍ଥୀ

Punjab Assembly Elections AAP Defeats VVIP Candidates

ନୂଆଦିଲ୍ଲୀ: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଗତକାଲି ପ୍ରକାଶ ପାଇଛି । ଗତକାଲି ପ୍ରକାଶ ପାଇଥିବା ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଗତକାଲି ପ୍ରକାଶ ପାଇଥିବା ଫଳାଫଳରେ ପଞ୍ଜାବରେ କଂଗ୍ରେସ ସରକାରକୁ ହଟାଇ ସରକାର ଗଢ଼ିବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ତେବେ ଗତକାଲି ଯେଉଁ ଫଳାଫଳ ପ୍ରକଶ ପାଇଛି ସେଥିରେ ବହୁ ହେଭିଓ୍ୱେଟ ନେତା ପରାଜୟର ସ୍ୱାଦ ଚାଖିଛନ୍ତି । ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପଞ୍ଜାବର ୫ ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ତାଙ୍କ ଗଡ଼ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ପଞ୍ଜାବର ଏହି ସବୁ ହେଭିଓ୍ୱେଟ ନେତାଙ୍କୁ ମାତ୍ ଦେଇଛନ୍ତି ଆପର ପ୍ରାର୍ଥୀ । ତେବେ ଆସନ୍ତୁ ଜାଣିବା ଏହି ବରିଷ୍ଠ ନେତାଙ୍କୁ ମାତ୍ ଦେଇଥିବା ନେତା କିଏ ?

Punjab Assembly Elections AAP Defeats VVIP Candidates

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ସେ ସେହି ଦୁଇଟି ଆସନରୁ ପରାଜୟ ବରଣ କରିଛନ୍ତି । ଚନ୍ନିଙ୍କୁ ଭଦୋର ଆସନରେ ଆପ୍ ଆଶାୟୀ ପ୍ରାର୍ଥୀ ଲବ୍ ସିଂ ଉଗୋକି ହରାଇଛନ୍ତି । ଲାଭ୍ ସିଂ ୩୫ ବର୍ଷୀୟ ଅଟନ୍ତି । ସେ ରାଜନୀତିକୁ ଆସିବା ପୂର୍ବରୁ ଜଣେ ମୋବାଇଲ ରିପାରିଂ ଦୋକାନରେ କାମ କରୁଥିଲେ । ଲବ୍ ସିଂ ୨୦୧୩ରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଲବ୍ ସିଂ ଉଗୋକି ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ତାଙ୍କ ବାପା ଜଣେ ଡ୍ରାଇଭର ହୋଇଥିବାବେଳେ ତାଙ୍କ ମାଆ ଏକ ସରକାରୀ ବିଦ୍ୟାଳୟରେ ଝାଡ଼ୁଦାର ଭାବେ କାମ କରନ୍ତି । ସେହିପରି ଚରଣଜିତ୍ ସିଂ ଚନ୍ନି ତାଙ୍କ ଦ୍ୱିତୀୟ ଆସନରେ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ଚମକୌର ଆସନରେ ଚନ୍ନିଙ୍କୁ ହରାଇଛନ୍ତି ଚରଣଜିତ୍ । ଚମକୌର ଆସନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ପରାଜିତ କରିଥିବା ପ୍ରାର୍ଥୀ ହେଉଛନ୍ତି ଆମ ଆଦମୀ ପାର୍ଟିର ଡ. ଚରଣଜିତ ସିଂ । ଡ. ଚରଣଜିତ ସିଂ ଜଣେ ଆଖି ଡାକ୍ତର ଏବଂ ଡାକ୍ତର ଶାଖାର ରାଜ୍ୟ ଉପସଭାପତି ଅଛନ୍ତି । ସେ ଦୀର୍ଘ ଦିନ ହେବ ସମାଜ ସେବାରେ ଜଡ଼ିତ ରହିଛନ୍ତି ।

Punjab Assembly Elections AAP Defeats VVIP Candidates

ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଧୁ ଚଳିତ ନିର୍ବାଚନରେ ଅମୃତସର ଇଷ୍ଟ ଆସନରେ ନିର୍ବାଚନ ଲଢ଼ିଥିଲେ । ସିଦ୍ଧୁଙ୍କ ବିପକ୍ଷରେ ଆମ ଆଦମୀ ପାର୍ଟି ଜୀବନ ଜ୍ୟୋତ କୌରଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ଏହି ଆସନରେ ଆକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଜିଥିଆ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ତେବେ ଏହି ଦୁଇ ହେଭିଓ୍ୱେଟ ନେତାଙ୍କୁ ପରାସ୍ତ କରିଛନ୍ତି ଆପର ଜୀବନ ଜ୍ୟୋତ କୌର । ସିଦ୍ଧୁଙ୍କୁ ପରାସ୍ତ କରି ଏହି ମହିଳା ଏବେ ରହିଛନ୍ତି ବେଶ୍ ଚର୍ଚ୍ଚାରେ । ପଞ୍ଜାବର ପ୍ୟାଡ୍ ଓମେନ ଭାବରେ ପରିଚିତ ଜୀବନ ଜ୍ୟୋତ କୌର । ସମାଜର ଅବହେଳିତ ବର୍ଗର ମହିଳାଙ୍କ ମଧ୍ୟରେ ମାସିକ ଋତୁଚକ୍ର ସମୟରେ ଉତ୍ତମ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ସେ ସଚେତନତା ସୃଷ୍ଟି କରିଥାନ୍ତି ।

Punjab Assembly Elections AAP Defeats VVIP Candidates

ଚଳିତ ପଞ୍ଜାବ ନିର୍ବାଚନରେ ଏକ ବଡ଼ ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି । ପଞ୍ଜାବର ବରିଷ୍ଠ ନେତା ତଥା ୫ ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି । ପ୍ରକାଶ ସିଂ ବାଦଲଙ୍କୁ ପରାସ୍ତ କରିଛନ୍ତି ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଗୁରମିତ୍ ସିଂ ଖୁଦିଆନ୍ । ଗୁରମିତ୍ ସିଂ ଖୁଦିଆନ ପିତା ଜଗଦେବ ସିଂ ଖୁଦିଆନ ୧୯୮୯ରେ ଫରୀଦକୋଟ ଆସନରେ ସାଂସଦ ରହିଥିଲେ । ଗୁରମିତ୍ ସିଂ ପ୍ରଥମେ କଂଗ୍ରେସରେ ରହିଥିଲେ କିନ୍ତୁ କଂଗ୍ରେସ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରି ଇସ୍ତଫା ଦେଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ଗତବର୍ଷ ଆପରେ ଯୋଗ ଦେଇଥିଲେ ।

Punjab Assembly Elections AAP Defeats VVIP Candidates

ପଂଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡି ଏକ ନୂଆ ଦଳ ଗଢ଼ିଥିବା ଅମରିନ୍ଦର ସିଂ ମଧ୍ୟ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି । ଚଳିତ ନିର୍ବାଚନରେ ଅମରିନ୍ଦର ସଂ ପଟିଆଲା ଆସନରୁ ନିର୍ବାଚନ ଲଢ଼ିଥିଲେ । ତେବେ ଅମରିନ୍ଦର ସିଂଙ୍କୁ ନିର୍ବାଚନରେ ମାତ୍ ଦେଇଛନ୍ତି ଆପର ଅଜିତପାଲ ସିଂ କୋହଲି । ଅଜିତପାଲ ପୂର୍ବରୁ ଅକାଳୀ ଦଳର ସରକାରରେ ପଟିଆଲାର ମେୟର ରହିଥିଲେ । ପଟିଆଲା କ୍ୟାପଟେନ ଅମରିନ୍ଦର ସିଂଙ୍କ ଗଡ଼ ଭାବରେ ଜଣାଶୁଣା । କିନ୍ତୁ ଚଳିତ ନିର୍ବାଚନରେ ଆପ ପ୍ରାର୍ଥୀ ତାଙ୍କୁ ହରାଇଛନ୍ତି । ‌ଅକାଳୀ ଦଳ ସହିତ କୋହଲିଙ୍କ ପରିବାରର ୭ ଦଶନ୍ଧିର ସମ୍ପର୍କ ରହିଛି । ତାଙ୍କ ବାପା ସୁରଜିତ ସିଂହ କୋହଲି ଅକାଳୀ ଦଳର ବରିଷ୍ଠ ଉପସଭାପତି ରହିବା ସହିତ ୧୯୯୭ରେ ପଞ୍ଜାବ ସରକାରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଥିଲେ । ତେବେ ଅଜିତପାଲ ନିର୍ବାଚନ ପୂର୍ବରୁ ହି ଅକାଳୀ ଦଳ ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ ।