ପଞ୍ଜାବରେ ଆପର ବୃହତ ବିଜୟ ପରେ ଆଜି ବସିପାରେ ବିଧାୟକ ଦଳ ବୈଠକ

ଚଣ୍ଡିଗଡ଼: ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ଆଜି ବସିପାରେ ବିଧାୟକ ଦଳ ବୈଠକ । ଚଳିତ ନିର୍ବାଚନରେ ବହୁମତ ପାଇ ପଞ୍ଜାବରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ଆମ ଆଦମୀ ପାର୍ଟି । ଆଜି ବିଧାୟକ ଦଳ ବୈଠକରେ ସରକାର ଗଠନ ନେଇ ଆଲୋଚନା ହୋଇପାରେ । ତେବେ ପଞ୍ଜାବରେ ସରକାର ଗଠନ ନେଇ ଆସନ୍ତାକାଲି ଗଭର୍ନର ବନଓ୍ୱରଲାଲ ପୁରୋହିତଙ୍କୁ ଭେଟିବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍ । ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଆଲୋଚନା କରିବେ ଭଗଓ୍ୱନ୍ତ ମାନ୍ ।

ଦେଶର ୫ ରାଜ୍ୟରେ ହୋଇଥିବା ନିର୍ବାଚନରେ ଗତକାଲି ଫଳାଫଳ ପ୍ରକାଶ ପାଇଛି । ଗତକାଲି ପଞ୍ଜାବରେ ଯେଉଁଭଳି ଫଳାଫଳ ହୋଇଛି ତାହା ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବର ମୋଟ ୧୧୭ ଆସନରୁ ଆମ୍ ଆଦମୀ ପାର୍ଟି ୯୨ ଆସନରେ ବିଜୟ ଲାଭ କରିଛି । ପଞ୍ଜାବରେ କଂଗ୍ରେସ ୧୮ଟି ଓ ଭାରତୀୟ ଜନତା ପାର୍ଟି ୨ଟି ଆସନରେ ବିଜୟ ଲାଭ କରିଛି । ପଞ୍ଜାବର ବହୁ ହେଭିଓ୍ୱେଟ ନେତାଙ୍କୁ ଆପ୍ ପ୍ରାର୍ଥୀ ପରାସ୍ତ କରିଛନ୍ତି । କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ୫ ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି ।