ପଞ୍ଜାବରେ ଆପ୍ ବିଧାୟକଙ୍କ ଅଫିସ ଉପରେ ସିବିଆଇ ରେଡ୍

Punjab AAP MLA Jaswant Singh Gajjan Majra CBI Raid

ନୂଆଦିଲ୍ଲୀ: ପଞ୍ଜାବରେ ସିବିଆଇ ରେଡ୍ । ଆମ୍ ଆଦମୀ ପାର୍ଟିର ବିଧାୟକ ଯଶୱନ୍ତ ସିଂହଙ୍କ ଘରେ ରେଡ୍ କରିଛି ସିବିଆଇ । ୪୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚଢ଼ାଉ ହୋଇଛି । ଗଜ୍ଜନମାଜରା ଅସରଗଡ଼ ବିଧାନସଭା ଆସନରୁ ଏବେ ଆପ୍ ବିଧାୟକ ଅଛନ୍ତି ଯଶୱନ୍ତ । ସିବିଆଇ ଏକକାଳୀନ ଯଶୱନ୍ତଙ୍କ ସମସ୍ତ ସ୍ଥାନରେ ଚଢ଼ାଉ କରିଛି । ସଙ୍ଗରୁର ଓ ମାଲେକୋଟଲାର ୩ଟି ସ୍ଥାନରେ ରେଡ୍ ହୋଇଛି । ଯଶୱନ୍ତ ନିର୍ବାଚନ ଜିତିବା ପରେ ସତ୍ୟପାଠ ଦେଇ କହିଥିଲେ ସେ କେବଳ ୧ ଟଙ୍କା ଦରମା ନେବେ ।

ପ୍ରାରମ୍ଭିକ ରେଡରେ ସିବିଆଇକୁ ୯୪ଟି ଚେକ୍ ବ୍ଲାଙ୍କ ଚେକ୍ ମିଳିଛି, ଯେଉଁଥିରେ ଦସ୍ତଖତ ରହିଛି । ଏହାଛଡ଼ା କେତେକ ଆଧାର କାର୍ଡ ମିଳିଛି । ୧୬ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି । ପୋଲିସ ୮୮ଟି ବିଦେଶୀ ନୋଟ ସହ ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି । ଏବେ ବି ଜାରି ରହିଛି ରେଡ୍ ।

ଆପ୍ ବିଧାୟକ ଯଶୱନ୍ତ ୨୦୧୧ରୁ ୨୦୧୪ ମସିହା ମଧ୍ୟରେ ୪ଟି କିସ୍ତିରେ ବ୍ୟାଙ୍କରୁ ଲୋନ୍ ନେଇଥିଲେ । ଏହି ଲୋନ ରାଶି ୪୦.୯୨ କୋଟି ଟଙ୍କା । ଏନେଇ ବ୍ୟାଙ୍କର ଲୁଧିଆନା ଶାଖା ସିବିଆଇରେ ଅଭିଯୋଗ କରିଥିଲା । ଯେଉଁଥିରେ କୁହାଯାଇଥିଲା ଯଶୱନ୍ତ ଯେଉଁଥିପାଇଁ ଟଙ୍କା ଋଣ ନେଇଥିଲେ । ସେଥିର ନ ଲଗାଇ ଅନ୍ୟତ୍ର ବିନିଯୋଗ କରିଛନ୍ତି ।