ବଢୁଛି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ, ଜାରି ହେଲା ନୋଟିସ୍

ନନ୍ଦିଘୋଷ ବ୍ୟୁରୋ : ବଢୁଛି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ । ବର୍ତ୍ତମାନ ଆଉ ଏକ ମାମଲାରେ ଫସିଛନ୍ତି ପୂଜା ଖେଡକର । ପୁଣେ ପୋଲିସ ପୂଜାଙ୍କୁ ଜାରି କରିଛି ନୋଟିସ୍। ପୂଜା ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ନିର୍ଯ୍ୟାତନା ମାମଲା କରିଥିଲେ । ଏହି ଅଭିଯୋଗ ଆଧାରରେ ପୂଜାଙ୍କୁ ପଚରାଉଚାର ପାଇଁ ପୋଲିସ ନୋଟିସ୍ ଜାରି କରିଛି।

ପୂଜାଙ୍କ ଟ୍ରେନିଂକୁ ମଧ୍ୟ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି। ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଛନ୍ତି ମସୌରୀ ଆଇଏଏସ୍ ଏକାଡେମୀ । ତୁରନ୍ତ ମସୁରୀ କ୍ୟାମ୍ପକୁ ଫେରି ଆସିବାରୁ ନିର୍ଦ୍ଦେଶ ମିଳିଛି । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ କୁହାଯାଇଛି ।

ଡିୱାସେ ହିଁ ପୂଜାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣିଥିଲେ। ସେ ଏକଥା ମହାରାଷ୍ଟ୍ର ସରକାରଙ୍କୁ ଅବଗତ କରାଇବା ପରେ ପୂଜାଙ୍କ ବଦଳି ପୁଣେରୁ ୱାସିମକୁ ହୋଇଥିଲା।