spot_img

Latest Posts

ପୁଲୱାମା ଆତଙ୍କବାଦୀ ହମଲା: ବିରୋଧୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା ବୋଲି କାହିଁକି କହିଲେ ମୋଦି ?

ନୂଆଦିଲ୍ଲୀ: ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପଛର ସତ ଏବେ ପଦାକୁ ଆସିଛି । ପାକିସ୍ତାନର ସଂସଦରେ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ବୟାନ ପରେ ଏବେ ଚାରିଆଡେ ଚର୍ଚ୍ଚା । ପୁଲୱାମାରେ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ସେଥିପାଇଁ ନରେନ୍ଦ୍ର ମୋଦି ନିଜ ବୟାନ ରଖିଛନ୍ତି । ଜମ୍ମୁ କାଶ୍ମୀର ର ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଯାଇଥିଲେ । ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କୁ ଏହାର କ୍ରେଡିଟ୍ ଦେବା ପାଇଁ ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବୟାନ ପରେ  ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି। ମୋଦିଙ୍କ କହିବାନୁସାରେ ଦେଶର ସୈନିକମାନେ ସହିଦ ହୋଇଥିଲେ ମଧ୍ୟ କିଛି ବ୍ୟକ୍ତି ସେହି ସମୟରେ ରାଜନୀତିରେ ଲିପ୍ତ ଥିଲେ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି  ଅନେକ କଥା କହିଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳମାନଙ୍କୁ ସେ ଏଭଳି ରାଜନୀତିରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ନିଜ ସ୍ୱାର୍ଥ ପାଇଁ, ଜାଣିଶୁଣି ହେଉ କିମ୍ବା ଅଜାଣତରେ ଦେଶ ବିରୋଧୀ ଶକ୍ତିଙ୍କ ସହ ଖେଳିବା ଅନୁଚିତ୍ । କାରଣ ଏହା ଦ୍ୱାରା ନା ଦେଶର ଉନ୍ନତି ହେବ ନା କୌଣସି ଦଳର ।

ଏଥି ସହିତ ଫ୍ରାନ୍ସର କାର୍ଟୁନ୍ ବିବାଦ କୁ ନେଇ ମୋଦୀ କିଛି ଦେଶକୁ ଇଙ୍ଗିତ କରି କହିଛନ୍ତି ଯେ, ବିକାଶ ମଧ୍ୟରେ ଏମିତି କିଛି ଚ୍ୟାଲେଞ୍ଜ ରହିଛି ଯାହାର ସାମ୍ନା ଅନେକ ଦେଶ କରୁଛନ୍ତି । କିଛି ଲୋକେ ଆତଙ୍କବାଦିଙ୍କୁ ଖୋଲା ସମର୍ଥନ କରୁଛନ୍ତି ଯାହା ଏବେ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ସମସ୍ତ ଦେଶ, ସମସ୍ତ ସରକାର, ସମସ୍ତ ଧର୍ମ ଆତଙ୍କବାଦିଙ୍କ ବିରୋଧରେ ଏକଜୁଟ ହେବା ଆବଶ୍ୟକ। ଶାନ୍ତି, ଭାଇଚାରା ଏବଂ ପାରସ୍ପରିକ ସମ୍ମାନର ଭାବନା ହିଁ ମାନବିକତାର ପ୍ରକୃତ ପରିଚୟ । ଆତଙ୍କ ଏବଂ ହିଂସାରେ କେବେ କାହାର କଲ୍ୟାଣ ହୋଇନଥାଏ ।

ସୂଚନାଯୋଗ୍ୟଯେ, ପାକିସ୍ତାନ ଇମ୍ରାନ ଖାନ ସରକାରର ମନ୍ତ୍ରୀ ଫୱାଦ ଚୌଧୁରୀ ଗୁରୁବାର ସଂସଦରେ ସ୍ୱୀକାର କରିଛନ୍ତି ଯେ ପୁଲୱାମାରେ CRPFଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନର ହାତ ଥିଲା । ସେ କହିଥିଲେ ଯେ, ପୁଲୱାମାରେ ହୋଇଥିବା ଆକ୍ରମଣ ହେଉଛି ପାକିସ୍ତାନର ସଫଳତା । ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି ଫୱାଦ । ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ଇମ୍ରାନ ଖାନଙ୍କ ପାଇଁ ଏକ ବଡ଼ ସଫଳତା। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPFଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

 

Latest Posts

Don't Miss