କେମିତି ଧରାପଡ଼ିଲା ପୁଲୱାମା ମାଷ୍ଟରମାଇଣ୍ଡ? ପ୍ରେମିକା ଫଟୋ ଚିହ୍ନାଇଲା ଚେହେରା..

ନୂଆଦିଲ୍ଲୀ:  ୨୦୧୯ ଫେବ୍ରୁଆରୀ ୧୪ରେ ଘଟିଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ । ତା’ର ୬ ମାସ ପରେ ବି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କିଏ, ସେ ଦେଖିବାକୁ କେମିତି, ସେନେଇ ଜାତୀୟ ତଦନ୍ତକାରୀ ସଂସ୍ଥା କିଛି ବି ପ୍ରମାଣ ପାଉନଥିଲା । କିନ୍ତୁ ଆତଙ୍କବାଦୀ ମସୁହୁଦ ଅଜହରର ହାତ ଥିବା ସ୍ପଷ୍ଟ ହୋଇଥିଲା । ତା ସହ ତାର ପୁତୁରା ଉମର ଫାରୁକ୍‌ ମଧ୍ୟ ପୁରା ପ୍ଲାନିଂରେ ସହଯୋଗ କରିଥିଲା । କିନ୍ତୁ ଉମରର କୌଣସି ଠିକଣା ପାଉନଥିଲା ତଦନ୍ତକାରୀ ସଂସ୍ଥା । ଆକ୍ରମଣ ପରେ ଉମର କାଶ୍ମୀରରେ ଥିଲା ନା, ୧୪ ଫେବ୍ରୁଆରୀ ଘଟଣାର ମାସେ ପରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲା? ସେ ବିଷୟରେ କୌଣସି ସୂଚନା ମିଳୁନଥିଲା । ଏନକାଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ଫଟୋ ଦେଖି ଏହା ସ୍ପଷ୍ଟ ହୋଇଥିଲା ଯେ ଜଣେ ଯୁବକଙ୍କ ନାଁ ଇଦ୍ରିସ, ହେଲେ ଆଉ ଜଣେ କିଏ ଏବେ ବି ସ୍ପଷ୍ଟ ହୋଇନଥିଲା ।

ଆତଙ୍କବାଦୀଙ୍କ ନିକଟରୁ ମିଳିଥିବା ଦୁଇଟି ଭଙ୍ଗା ଫୋନ୍‌ ହିଁ ଥିଲା ଶେଷ ପ୍ରମାଣ । ମୋବାଇଲକୁ ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌କୁ ପଠାଯାଇଥିଲା । ସେଥିରୁ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଥିଲା ଜ୍ୟାକ୍‌ପଟ୍‌ । ଏଥିରୁ ଦୁଇ ଆତଙ୍କବାଦୀଙ୍କ ସହ ଅନ୍ୟ କିଛି ଫଟୋ ମଧ୍ୟ ମିଳିଥିଲା । ହାଇକମାଣ୍ଡଙ୍କ ସହ କଥାବାର୍ତ୍ତାର ରେକର୍ଡିଂ ମଧ୍ୟ ମିଳିଥିଲା । ପୁଲଓ୍ବାମା ଆକ୍ରମଣ ପରେ ଆତଙ୍କୀ ହାଇକମାଣ୍ଡ ତଥା ଜୈସ୍‌ ଏ ମହମ୍ମଦ ଇଦ୍ରିସକୁ ନିଜ ମୋବାଇଲ୍‌ ଭାଙ୍ଗି ଦେବା ପାଇଁ କହିଥିଲେ, ହେଲେ ଇଦ୍ରିସ ଏହା କରିନଥିଲା । ଗୋଟିଏ ଫୋନକୁ ସୁଇଜ ଅଫ୍‌ କରି ଅନ୍ୟ ଫୋନ୍‌ରେ ଆତଙ୍କୀଙ୍କ ସହ କଥାବାର୍ତ୍ତା କରୁଥିଲା ଇଦ୍ରିସ । ଏହାହିଁ ଥିଲା ଇଦ୍ରିସର ସବୁଠୁ ବଡ଼ ଭୁଲ୍‌ ।

ଏବେ ବି ଏନଆଇଏ, ଫୋନ୍‌କୁ ନେଇ ଅନେକ ଆଶଙ୍କା ଭିତରେ ଥିଲା । କାହିଁକି ଫୋନ୍‌ ଭାଙ୍ଗିନଥିଲା ଇଦ୍ରିସ । ଏହା ପଛର ରହସ୍ୟ ମଧ୍ୟ ଏନଆଇଏକୁ ସ୍ତବ୍ଧ କରିଦେଇଥିଲା । କାଶ୍ମୀରର ୨୨ ବର୍ଷୀୟ ଯୁବତୀ ଇଂସା ଜାନ୍‌ ପ୍ରେମରେ ପଡିଥିଲା ଆତଙ୍କବାଦୀ ଇଦ୍ରିସ । ପ୍ରେମ ହିଁ ତାକୁ ମିଶନ ବିରୋଧରେ କାମ କରିବାକୁ ଉସ୍‌କାଇଥିଲା । ସେହି ଫୋନରେ ହିଁ ଇଦ୍ରିସ ନିଜର ପ୍ରେମିକା ସହ ଯୋଗାଯୋଗରେ ରହୁଥିଲା । ଫୋନ୍‌ରେ ପୂର୍ବରୁ ସେଲଫି ମଧ୍ୟ ନେଇଥିଲା । ପୁଲଓ୍ବାମା ଆକ୍ରମଣ ପ୍ଲାନକୁ ସଫଳ କରିବା ପାଇଁ ନିଜ ପ୍ରେମିକା ଘରେ ହିଁ ରହୁଥିଲା ଇଦ୍ରିସ ।

ଇଂସାର ବାପା ଜୈସ ଏ ମହମ୍ମଦର ସମର୍ଥକ ଥିବାରୁ ଇଦ୍ରିସକୁ କିଛି ଅସୁବିଧା ହୋଇନଥିଲା । କିନ୍ତୁ ଇଣ୍ଟେଲିଜେନ୍ସ ଅନୁସାରେ ଇଦରିସ୍‌ ସହ ମାଷ୍ଟରମାଇଣ୍ଡ ଉମରର ସମ୍ପର୍କ ମଧ୍ୟ ସ୍ପଷ୍ଟ ହୋଇପାରିନଥିଲା । ହେଲେ ଘଟଣାର ବର୍ଷେ ପରେ ଇଦ୍ରିସ୍‌ ହିଁ ଉମର ବୋଲି ହୋଇଥିଲା ସ୍ପଷ୍ଟ । ଇଂସା ଜାନ୍‌ ଓ ଇଦ୍ରିସ୍‌ ଫୋଟ ଦେଖି ଏନଆଇଏ ହାତରେ ଧରାପଡିଥିବା ଜଣେ ଆତଙ୍କବାଦୀ ହିଁ ସ୍ପଷ୍ଟ କରିଥିଲା । ସେ ହିଁ ପୁଲଓ୍ବାମା ଆକ୍ରମଣର ବ୍ଲୁ ପ୍ରିଣ୍ଟ ଲେଖିଥିଲା ।

Leave a Reply