ପୂଜା ଖେଡକରଙ୍କ ଆଗୁଆ ଜାମିନ ଖାରଜ, ଖୁବଶୀଘ୍ର ଗିରଫ ହୋଇପାରନ୍ତି
ମୁମ୍ବାଇ: ପୂର୍ବତନ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକର ପୁଣି ଥରେ ଚର୍ଚ୍ଚାରେ । ଦିଲ୍ଲୀ ହାଇକୋର୍ଟ ପୂଜାଙ୍କ ଆଗୁଆ ଜାମିନ ଖାରଜ କରିଦେଇଛନ୍ତି । ଯାହା ପରେ ତାଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି । ଆଇଏଏସ ହେବା ପାଇଁ ପୂଜା ଏଭଳି ତରିକା ଆପଣାଇଥିଲେ ଯେ ଏହା ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।
୨୦୧୨ରୁ ୨୦୨୩ ମଧ୍ୟରେ ସେ ନିଜ ନାମକୁ ୭ଥର ବଦଳାଇଛନ୍ତି । କେବଳ ଏତିକି ନୁହେଁ ନିଜ ବାପା ମାଙ୍କ ନାଁରେ ବି ସେ ହେରଫେର କରିଛନ୍ତି । ପୂଜା ଖେଡକରଙ୍କ ହବିବାଦ ସାମନାକୁ ଆସିବା ପରେ ଲୋକସେବା ଆୟୋଗ ସଂଘ ଏହି ମାମଲାର ଯାଞ୍ଚ କରିଥିଲେ । ଏହି ଯାଞ୍ଚ ରିପୋର୍ଟରେ ପୂଜା ନିଜ ନାମ ସହ ଅଭିଭାବକଙ୍କ ନାଁ ବଦଳାଇଥିବା ଜଣାପଡିଥିଲା । ନିଜ ଫଟୋ, ହସ୍ତାକ୍ଷର, ଇମେଲ ଆଇଡି, ମୋବାଇଲ ନମ୍ବରରୁ ନିଜ ଠିକଣା ପର୍ଯ୍ୟନ୍ତ ସବୁକିଛି ବଦଳାଇ ପରୀକ୍ଷା ଦେଇଥିଲେ ପୂଜା । ୨୦୨୨ ୟୁପିଏସସି ପରୀକ୍ଷା ପାସ୍ କରି ୨୦୨୩ ବ୍ୟାଚ୍ର ଆଇଏଏସ ହୋଇଥିଲେ ପୂଜା ।
ପୂଜା ଖେଡକରଙ୍କ ଉପରେ ଅଭିଯୋଗ ଅଛି ଯେ ଫର୍ଜି ଦସ୍ତାବିଜ୍ ଆଧାରରେ ନିର୍ଦ୍ଧାରିତ ସୀମା ଠୁ ଅଧିକ ଥର ୟୁପିଏସସି ପରୀକ୍ଷା ଦେଇଛନ୍ତି ପୂଜା ।ପୂଜା ୧୨ ଥର ୟୁପିଏସସି ପରୀକ୍ଷା ଦେଇଥିଲେ ।ନିୟମ ଅନୁସାରେ ଜେନେରାଲ କାଟାଗୋରୀ ପରୀକ୍ଷାର୍ଥୀଙ୍କୁ ୩୨ବର୍ଷ ପର୍ଯ୍ୟନ୍ତ ୬ଟି ସୁଯୋଗ ଦିଆଯାଇଥାଏ ।ସେହିପରି ଓବିସି କାଟାଗୋରୀ ପରୀକ୍ଷାର୍ଥୀଙ୍କୁ ୩୫ ବର୍ଷ ପର୍ଯ୍ୟନ୍ତ ୯ ଥର ପରୀକ୍ଷା ଦେବାକୁ ସୁଯୋଗ ମିଳିଥାଏ । ଏସସି/ଏସଟି ପରୀକ୍ଷାର୍ଥୀ ୩୭ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇ ପାରିବେ । କିନ୍ତୁ ପୂଜା ଖେଡକର ଫର୍ଜି ଦସ୍ତାବିଜ ଆଧାରରେ ନିର୍ଦ୍ଧାରିତ ସୀମା ଠୁ ଅଧିକ ଥର ପରୀକ୍ଷା ଦେଇଛନ୍ତି । ପ୍ରତି ଥର ସେ ନିଜ ନାମ ଓ ଠିକଣା ବଦଳାଇଛନ୍ତି ।
ରିପୋର୍ଟ ଆଧାରରେ ୟୁପିଏସସି ପୂଜା ଖେଡକରଙ୍କ ୟୁପିଏସସି ୨୦୨୨ ରଦ୍ଦ କରିଦିଆଯାଇଥିଲା । ତାଙ୍କ ଚୟନକୁ ଅବୈଧ ଘୋଷଣା କରାଯାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ଏବେ ତାଙ୍କ ଆଗୁଆ ଜାମିନ ଖାରଜ ହେବା ପରେ କଥା ଗିରଫଦାରୀ ପର୍ଯ୍ୟନ୍ତ ପହଞ୍ଚିଛି ।