ମୂର୍ତ୍ତିର ଉଚ୍ଚତା ନେଇ ଅସହମତି: ପାର୍ବଣ ଗାଇଡଲାଇନ୍‌ରେ ପରିବର୍ତ୍ତନ ନେଇ ନିବେଦନ କରିବ ପୂଜା କମିଟି

କଟକ: ସାରା ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ବିଭିନ୍ନ ପୂଜା କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ସରକାର । ହେଲେ ମାର୍ଗଦର୍ଶିକାର କେତେକ ନିୟମକୁ ନେଇ ଅସହମତି ପ୍ରକାଶ କରିଛି କଟକ ଦୁର୍ଗାପୂଜା କମିଟି। ମୂର୍ତ୍ତିର ଉଚ୍ଚତା ଓ ପରଦା ଭିତରେ ପୂଜା ନିଷ୍ପତ୍ତିର ପୁନଃବିଚାର ଦାବି କରିଛି କମିଟି ।  ଦେବୀଗଡ଼ାରେ ମୂର୍ତ୍ତୀ ବିସର୍ଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ।

କୋହଳ କରାଯାଉ ପାର୍ବଣ କଟକଣା । ମୂର୍ତ୍ତିର ଉଚ୍ଚତା ନିଷ୍ପତ୍ତିର କରାଯାଉ ପୁନଃବିଚାର । ଏଥିସହିତ ଆବଦ୍ଧ ମଣ୍ଡପରେ ପୂଜା କରାଯିବାକୁ ନେଇ ଜାରି ଗାଇଡଲାଇନରେ ପରିବର୍ତ୍ତନ କରିବାକୁ କରିଛନ୍ତି ଅନୁରୋଧ । ଦେବୀଗଡ଼ାରେ ମଧ୍ୟ ମୂର୍ତ୍ତି ବିସର୍ଜନ ଅନୁମତି ଦେବାକୁ ନିବେଦନ କରିଛି କଟକ ପୂଜା କିମିଟି । କରୋନା କାଳରେ ପୂଜା ପାଇଁ ସରକାର ଆଣିଥିବା ଗାଇଡଲାଇନକୁ ସ୍ୱାଗତ କରାଯାଇଛି । ହେଲେ କିଛି ନିୟମରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ବୋଲି କହିଛି ପୂଜା କମିଟି । ମୂର୍ତ୍ତିର ଖଡ଼ମା ଶହ ଶହ ବର୍ଷ ପୁରୁଣା । ମୂର୍ତ୍ତିର ଉଚ୍ଚତା ଠିକ ନହେଲେ ଠାକୁରାଣୀ ଗହଣା ଓ ପୋଷାକ ପିନ୍ଧି ପାରିବେ ନାହିଁ । ମନ୍ଦିର ଯେପରି ସ୍ୱଳ୍ପ ଭକ୍ତରେ ଖୋଲିଛି, ସେହି ପରି ଭକ୍ତଙ୍କୁ ରାସ୍ତାରୁ ଦୁର୍ଗା ମାଆଙ୍କ ଦର୍ଶନ ସୁଯୋଗ ଦିଆଯାଉ । ସେହିଭଳି ଶହ ଶହ ବର୍ଷ ହେବ ଦେବୀ ଗଡାରେ ଠାକୁର ବିସର୍ଜନ ହେବାର ପରମ୍ପରା ରହିଛି । ଏଣୁ ନିଷ୍ପତ୍ତିରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଆସନ୍ତା ଶୁକ୍ରବାର ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ।  ଗତବର୍ଷ ମଧ୍ୟ ପାର୍ବଣ ଗାଇଡଲାଇନ୍ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଛିଟା ପରିବର୍ତ୍ତନ ହୋଇଥିଲା ।

 

Leave a Reply