ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ସିଲଭର ସିଟି , ବିଭିନ୍ନ ମଣ୍ଡପରେ ଚାଲିଛି କନ୍ୟାପୂଜା

କଟକ : ଜଗତ ଜନନୀଙ୍କ ଧରାବତରଣ ପାଇଁ ଉତ୍ସବମୁଖର ସିଲଭରସିଟି । କଟକର ବିଭିନ୍ନ ମଣ୍ଡପରେ ନବମୀ ଅବସରରେ କନ୍ଯାପୂଜା । ଷୋଡ଼ଶ ଉପଚାର ପୂଜା ସହ ହୋମ ଯଜ୍ଞ ଓ ମନ୍ତ୍ରଧ୍ବନୀରେ କମ୍ପିଲା ମଣ୍ଡପ ପରିସର । ନବମୀ ପାଇଁ ମାଆଙ୍କୁ ଅର୍ପଣ ହେଲା ପଣା ଭୋଗ । କଟକରେ ବିଭିନ୍ନ ସ୍ଥାନରେ ମାତା ଦୁର୍ଗାଙ୍କ ସହ ଶିବ ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ତୋରଣ ଓ ବିଭିନ୍ନ ରଙ୍ଗର ଆଲୋକମାଳା ସାଙ୍ଗକୁ ସୁନା ଚାନ୍ଦିରେ ଝଟକୁଛି ମାଆଙ୍କ ମୂର୍ତ୍ତି । ସକାଳୁ ରାତି ଯାଏଁ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମୁଛି । ସହରବାସୀଙ୍କ ସହ ବିଧାୟିକା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।

ସହର ଯେତିକି ପୁରୁଣା ଏହାର ପରମ୍ପରା ମଧ୍ୟ ସେତିକି ନିଆରା ଓ ସ୍ୱତନ୍ତ୍ର । ଖାନନଗର ପ୍ରତିଥର ପରି ଏଥର ମଧ୍ୟ ସଂସ୍କୃତି ସହିତ ସମାଜିକ ବାର୍ତ୍ତା ଦେଇ ପୂଜା କରାଯାଉଛି । ଭକ୍ତଙ୍କ ପାଇଁ ମାଙ୍କ ଦର୍ଶନ ସାଙ୍ଗକୁ ଦହିବରା ବାଣ୍ଟି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଛନ୍ତି ଲୋକେ । ସେପଟେ ଜଗତପୁର ଉତ୍କଳ ପୂଜା କମିଟି ମାଙ୍କ ନିକଟରେ ଆଜି ପଣା ଭୋଗ ଲାଗି କରି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଛି । ପଞ୍ଚ ଦିନାତ୍ମକ ଯାତ୍ରାର ଆଜି ଚତୁର୍ଥ ଦିନ । ଆଉ ଦିନକ ପରେ ବିଦାୟ ନେବେ ମାଆ । ତେଣୁ ମାଆଙ୍କ ଦର୍ଶନ ଓ ପୂଜା ବଜାର ବୁଲିବାକୁ ହାତଛଡ଼ା କରୁ ନାହାନ୍ତି ଶ୍ରଦ୍ଧାଳୁ ।