ପୁଡୁଚେରୀରେ କ୍ଷମତାକୁ ଫେରିପାରନ୍ତି ଏନ୍. ରଙ୍ଗାସାମୀ

Puducherry N Rangasamy AINRC And BJP Likely Formed The Govt.

ଚେନ୍ନାଇ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି । ଭି.ନାରାୟଣସାମୀ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିବା ପରେ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ଏପ୍ରିଲ୍ ୬ରେ ଗୋଟିଏ ପର୍ଯ୍ୟାୟରେ ପୁଡୁଚେରୀର ୩୦ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

୩୦ ଆସନରୁ କଂଗ୍ରେସ ୧୪ଟିରେ ପ୍ରାର୍ଥୀ ଦେଇଥିବା ବେଳେ ଡିଏମକେ ୩ଟିରେ ଏବଂ ଅନ୍ୟ ସହଯୋଗୀ ଦଳ ଅନ୍ୟ ଆସନରେ ପ୍ରାର୍ଥୀ ଦେଇଥିଲେ । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସାମୀଙ୍କ ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ସହ ମିଶି ବିଜେପି ନିର୍ବାଚନ ଲଢ଼ିଥିଲା । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୧୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୯ଟିରେ ଏବଂ ଏଆଇଏଡିଏମକେ ୫ଟିରେ ପ୍ରାର୍ଥୀ ଦେଇଥିଲା ।

 Puducherry N Rangasamy AINRC And BJP Likely Formed The Govt.

ଦିନ ୩ଟା ସୁଦ୍ଧା ୩୦ ଆସନ ମଧ୍ୟରୁ ୧୨ଟିର ଫଳାଫଳ ଆସିଛି । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୩ଟି ଆସନରେ ଆଗୁଆ ଥିବାବେଳେ ଗୋଟିଏରେ ବିଜେପି ଆଗୁଆ ରହିଛି । କଂଗ୍ରେସ ପ୍ରାର୍ଥୀ ୨ଟିରେ ଆଗୁଆ ଥିବାବେଳେ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛି । ସେହିଭଳି ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୨ଟି ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛି । ଡିଏମକେ ଗୋଟିଏ ଆସନ କବଜା କରିଛି ।

୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୫ଟି ଆସନରେ ବିଜୟ ଲାଭ କରିଥିଲା । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୮ଟି ଆସନ ଜିତିଥିବା ବେଳେ ଏଆଇଏଡିଏମକେ ୪ଟି, ଡିଏମକେ ୨ଟି ଜିତିଥିଲା । ଯେତେବେଳେ କି ବିଜେପି ଖାତା ଖୋଲି ପାରିନଥିଲା । ଚଳିତ ଥର ବିଜେପି ଭଲ କରିଛି । ବର୍ତ୍ତମାନ ଟ୍ରେଣ୍ଡ ସୁଦ୍ଧା ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ସହଯୋଗରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଛି ।

Leave a Reply