ଛଟେଇ ପ୍ରତିବାଦରେ ପଦ ଛାଡିଲେ ଓ୍ବାଶିଂଟନ ପୋଷ୍ଟ ପ୍ରକାଶକ ଓ ସିଇଓ ଉଇଲ ଲୁଇସ
ନନ୍ଦିଘୋଷ ବ୍ୟୁରୋ: ବଡ଼ ଧରଣର ଛଟେଇର ପ୍ରତିବାଦ ପଦ ଛାଡ଼ିଲେ ଓ୍ବାଶିଂଟନ ପୋଷ୍ଟ ପ୍ରକାଶକ ଓ ସିଇଓ ଉଇଲ ଲୁଇସ l ଖବର କାଗଜର ଉଜ୍ବଳ ଭବିଷ୍ୟତ ଲାଗି ସେ ଅନେକ କଠିନ ପଦକ୍ଷେପ ନେଇଥିଲେ l ଉନ୍ନତମାନର ଖବର ପ୍ରକାଶନ, ନିରପେକ୍ଷ ଖବର ପ୍ରକାଶନ ଜରିଆରେ ଲକ୍ଷ ଲକ୍ଷ ପାଠକ, ପାଠିକାଙ୍କୁ ଓ୍ବାଶିଂଟନ ପୋଷ୍ଟ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ନେଇଥିଲେ । ହେଲେ ଏବେ ବଡ ଧରଣର ଛଟେଇ ତାଙ୍କୁ କ୍ଷୁବ୍ଧ କରିଛି ବୋଲି ଲୁଇସ କହିଥିବା ନେଇ ସୂଚନା ଦେଇଛନ୍ତି ଖବରକାଗଜର ହ୍ବାଇଟ ହାଉସ ବ୍ୟୁରୋ ଚିଫ ମାଟ ଭିସେର l
ଡୋ ଜୋନସର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଓ୍ବାଲଷ୍ଟ୍ରିଟ ଜର୍ଣ୍ଣାଲର ପୂର୍ବତନ ପ୍ରକାଶକ ରହିଥିବା ଲୁଇସ ଗତ ୨୦୨୩ରେ ଓ୍ବାଶିଂଟନ ପୋଷ୍ଟରେ ଯୋଗ ଦେଇଥିଲେ l ସେତେବେଳେ ଓ୍ବାଶିଂଟନ ପୋଷ୍ଟ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲା । ଫ୍ରେଡ ରିୟାନଙ୍କଠାରୁ ସେ ଦାୟିତ୍ବ ନେଇଥିଲେ l ଦୀର୍ଘ ଦଶନ୍ଧି ଧରି ଖବରକାଗଜର ସିଇଓ ଓ ପ୍ରକାଶକ ଥିଲେ ଫ୍ରେଡ ରିୟାନ l ଲୁଇସଙ୍କ ପରେ ଜେଫ ବେଜୋସ ମାଲିକାନାରେ ଥିବା ଓ୍ବାଶିଂଟନ ପୋଷ୍ଟର ଚିଫ ଫାଇନାନ୍ସ ଅଫିସର ଜେଫ ଡିଓନଫ୍ରିଓ ସିଇଓ ହୋଇଛନ୍ତି l
ଗୁଗଲ, ୟାହୁ ଆଦି ସଂସ୍ଥାରେ କାର୍ଯ୍ୟ କରିବା ପରେ ଗତ ଜୁନରେ ଓ୍ବାଶିଂଟନ ପୋଷ୍ଟ ସହ ସାମିଲ ହୋଇଥିଲେ ଜେଫ ଡିଓନଫ୍ରିଓ l ଗତ ଜାନୁଆରୀ ୨୦୧୩ରେ ଏହି ଖବରକାଗଜକୁ କିଣିଥିଲେ ଜେଫ ବେଜୋସ l ଛଟେଇ କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ପୁଅ ଇଶାନ ଥରୁର l ଦୀର୍ଘ ୧୨ ବର୍ଷ କାମ କରିବା ପରେ ତାଙ୍କୁ ଛଟେଇ କରାଯିବା ଘଟଣା ଦୁଃଖ ଦେଇଛି ବୋଲି କହିଛନ୍ତି ଇଶାନ । ସେ ଗତ ୨୦୧୭ରୁ ଖବର କାଗଜ ଲାଗି ଆରମ୍ଭ କରିଥିଲେ ଏକ ଜଣାଶୁଣା କଲମ ୱାର୍ଲଡ ଭିଉ । ମାତ୍ର ବର୍ତ୍ତମାନ ସେ ଏହି ସ୍ତମ୍ଭ ଆଉ ଲେଖିପାରିବେ ନାହିଁ ବୋଲି କହିଛନ୍ତି ଇଶାନ । ଗତ ବୁଧବାର ହୋଇଥିବା ବଡ଼ ଧରଣର ଛଟେଇରେ ଏକ ତୃତୀୟାଂଶ କର୍ମଚାରୀ ବିଦା ହୋଇଥିଲେ l ଏହାସହ କ୍ରୀଡ଼ା ବିଭାଗ, ବହୁ ବିଦେଶୀ ବ୍ୟୁରୋ, ବୁକ୍ କଭରେଜ ବିଭାଗକୁ ହଟାଇଥିଲା ଖବରକାଗଜ ସଂସ୍ଥା l ସଂସ୍ଥାର ହଜାରେ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି l

