କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା, ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପ୍ରତି ବଢୁଛି ଜନସମର୍ଥନ

ଝାରସୁଗୁଡ଼ା: ଯେତିକି ଯେତିକି ଦିନ ପାଖଉଛି ଝାରସୁଗୁଡ଼ାରେ ସେତିକି ଜମୁଛି ଉପନିର୍ବାଚନ ପ୍ରଚାର । ଭୋଟ ହାତେଇବାକୁ ସବୁ ଉଦ୍ୟମ କରୁଛନ୍ତି ରାଜନୈତିକ ଦଳ । ତିନି ପ୍ରମୁଖ ଦଳର ପ୍ରାର୍ଥୀ କରୁଛନ୍ତି ଡୋର ଟୁ ଡୋର କ୍ୟାମ୍ପେନ୍ । ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ବ୍ଲକରୁ ବ୍ଲକକୁ ଯାଇ ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସବୁଠି ଦୀପାଳିଙ୍କ ପ୍ରତି ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି । ଜନସମୁଦ୍ର ଭିତରେ ପାଛୋଟି ନେଉଛନ୍ତି ଜନସାଧାରଣ । ଦୀପାଳିଙ୍କ ସହ ବିଜେଡିର ଷ୍ଟାର ପ୍ରଚାରକ କ୍ୟାମ୍ପେନ କରୁଛନ୍ତି ।

ଝାରସୁଗୁଡ଼ାରେ ସ୍ବର୍ଗତ ନବ କିଶୋର ଦାସ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ସାମଗ୍ରିକ ବିକାଶକୁ ଅସ୍ତ୍ର କରିଛି ଦଳ । ବିଜେଡି ସରକାରର ଜନହିତକର ଯୋଜନାକୁ ଆୟୁଧ କରି ଦଳ ଭୋଟ ମାଗୁଛି । ଝାରସୁଗୁଡାରେ ଦୀପାଳି ବୃହତ ବ୍ୟବଧାନରେ ବିଜୟୀ ହେବେ ବୋଲି ବରିଷ୍ଠ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଚାରରେ ପଛରେ ନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଘର ଘର ବୁଲିବା ସହିତ ବିଭିନ୍ନ ସ୍ଥାନରେ ସଭା କରି ଭୋଟ ମାଗୁଛନ୍ତି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ।